କନକ ବ୍ୟୁରୋ :ଆବର୍ଜନାରୁ ପ୍ରସ୍ତୁତ ହେବ ଏନର୍ଜି ଏବଂ ଚାର୍କୋଲ । ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ପଳାଶୁଣିରେ ପ୍ରତିଷ୍ଠା ହେବ ଚାର୍କୋଲ ପ୍ଲାଣ୍ଟ । ଏନେଇ ଗୁଜରାଟର ଏକ ଘରୋଇ କମ୍ପାନି ସହ ହୋଇଛି ଆଲୋଚନା । ସେପଟେ ୱେଷ୍ଟ ଟୁ ଏନର୍ଜି ପ୍ଲାଣ୍ଟ ପାଇଁ ବିଭିନ୍ନ କନ୍ସଲଟାଣ୍ଟ ଏବଂ ଏକ୍ସପର୍ଟମାନଙ୍କ ସହ ଆଲୋଚନା ଚାଲିଛି ବୋଲି ନଗର ଉନ୍ନୟନ ବିଭାଗ ସୂଚନା ଦେଇଛି ।
ଆବର୍ଜନାରୁ ମିଳିବ ଶକ୍ତି
ସହରୀକରଣ ବଢ଼ିବା ସାଙ୍ଗକୁ ଆବର୍ଜନା ସମସ୍ୟା ମଧ୍ୟ ବଢ଼ୁଛି । ଯାହାକୁ ନଜରରେ ରଖି ୱେଷ୍ଟ ଟୁ ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ୍ ଏବଂ ୱେଷ୍ଟ ଟୁ ଚାର୍କୋଲ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା କରୁଛି ବିଏମ୍ସି । ଏନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଦିଲ୍ଲୀ ଯାଇ ସେଠାକାର ଏନର୍ଜି ପ୍ଲାଣ୍ଟର ସ୍ଥିତି ପରଖିଛନ୍ତି । ଭୁବନେଶ୍ୱର, କଟକ, ପୁରୀ, ଜଟଣୀ ଭଳି ପ୍ରମୁଖ ମ୍ୟୁନିସିପାଲିଟିରୁ ବାହାରୁ ଥିବା ସମସ୍ତ ଅଳିଆକୁ ଗୋଟିଏ ଜାଗାରେ ପ୍ରୋସେସ କରାଯିବ । ବର୍ତ୍ତମାନ ଡିପିଆର କାମ ଚାଲିଛି । ପ୍ରାୟ ହଜାରେରୁ ୨ ହଜାର ଟନ୍ ଅଳିଆରୁ ମିଳିବ ୨୫ ମେଗାୱାଟ୍ ବିଦ୍ୟୁତ୍ ।
ପିପିପି ମୋଡ୍ରେ ହେବ ପ୍ଲାଣ୍ଟ
ପିପିପି ମୋଡ୍ରେ ହେବ ପ୍ଲାଣ୍ଟ । ସରକାର ଦେବେ ଜମି ଓ ପାଣି । ଟେଣ୍ଡର ହାତେଇଥିବା କମ୍ପାନି ବ୍ୟୟ କରିବ । ଏନେଇ ଆଲୋଚନା ସରିଛି । ଜାଗା ମଧ୍ୟ ଚିହ୍ନଟ ସରିଛି । ପଳାଶୁଣୀରେ ଏହି ପ୍ଲାଣ୍ଟ ନିର୍ମାଣ କରାଯିବା ନେଇ ଚାଲିଛି ଯୋଜନା । ରାଜଧାନୀ ଭୁବନେଶ୍ୱରରେ ଦୈନିକ ୮୦୦ ଟନ୍ ଆବର୍ଜନା ବାହାରୁଛି । ଯେଉଁଥିରେ ୪୦୦ ଟନ୍ ଓଦା ଏବଂ ପ୍ରାୟ ୩୯୦ ଟନ୍ ଶୁଖିଲା ଆବର୍ଜନା ରହିଛି । ଯାହାକୁ ବିଭିନ୍ନ ପଦ୍ଧତିରେ ଡିସେଣ୍ଟ୍ରାଲାଇଜ୍ଡ କରିବା ପାଇଁ ସ୍ୱତନ୍ତ୍ର ଭାବେ SHG ମାଆମାନଙ୍କୁ ଟ୍ରେନିଂ ଦିଆଯାଇଛି ।