କନକ ବ୍ୟୁରୋ: ମେଡିକାଲରେ ବର୍ଷ ବର୍ଷ ଧରି ପଡ଼ି ରହୁଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ଦୁଇ ବର୍ଷରୁ ଅଧିକ କାଳ ହେଲା ୫୦୦ରୁ ଅଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଭୀମସାରରେ ପଡିରହିଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସେପଟେ କର୍ତ୍ତୃପକ୍ଷ କହିଛନ୍ତି, ରିପୋର୍ଟ ରେଡି ଅଛି କିନ୍ତୁ ନେଉନାହିଁ ପୁଲିସ ।
- ମିଳୁନି ପୋଷ୍ଟମର୍ଟମ ରିପୋର୍ଟ
- ଭୀମସାର ଦେଉନି ନା ପୋଲିସ ନେଉନି
ପୋଷ୍ଟମର୍ଟମ ରିପୋର୍ଟ ଅପେକ୍ଷାରେ ପରିବାର ଓ ସମ୍ପର୍କୀୟ। ଭୀମସାରର ଏଭଳି ଅବହେଳା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ଅନୁସାରେ, ୨୦୨୨ ମସିହାରୁ ଭୀମସାରରେ ଅଟକିରହିଛି ୫୧୨ ଶବ ବ୍ୟବଚ୍ଛେଦ ରିପୋର୍ଟ । ଫଳରେ ଆତ୍ମୀୟଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଭିମସାର ଧାଇଁ ଧାଇଁ ନୟାନ୍ତ ହେଲେଣି ପରିବାର ଓ ଆତ୍ମୀୟ । ଏଫଏମଟି ବିଭାଗ ଡାକ୍ତର ଶବ ବ୍ୟବଚ୍ଛେଦ କରି ରିପୋର୍ଟ ମାମଲା ଦାଏର ହୋଇଥିବା ସମ୍ପୃକ୍ତ ଥାନାକୁ ଦେଇଥାନ୍ତି । ପରେ ତାହା ମୃତକଙ୍କ ସମ୍ପର୍କୀୟଙ୍କ ପାଖକୁ ଯାଇଥାଏ । ତେବେ ଏଫଏମଟି ବିଭାଗ ରିପୋର୍ଟ ଅଟକାଇ ନାହିଁ ବରଂ ପୋଲିସ ନେଉନଥିବା ଭୀମସାର ନିର୍ଦ୍ଦେଶକ ସଫେଇ ଦେଇଛନ୍ତି ।
ସୂଚନା ଅନୁସାରେ, ୨୦୨୨ ଜାନୁଆରୀରୁ ୨୦୨୪ ନଭେମ୍ବର ୮ ମଧ୍ୟରେ ୫୧୨ ଜଣଙ୍କ ରିପୋର୍ଟ ମିଳିନି । ୨୦୨୨ରେ ୧୦୪ଟି, ୨୦୨୩ରେ ୧୦୫ଟି ଏବଂ ୨୦୨୪ ନଭେମ୍ବର ୮ ସୁଦ୍ଧା ୩୦୩ ମାମଲା ପଡିରହିଛି । ୫୧୨ଟି ମାମଲାରୁ ଯଦି କିଛି ହତ୍ୟା, ଆତ୍ମହତ୍ୟା ମାମଲା ଥାଏ, ତେବେ ତଦନ୍ତ ପ୍ରକ୍ରିୟା କିଭଳି ଆଗେଇ ପାରିବ ସେ ନେଇ ପ୍ରଶ୍ନ ଉଠିଛି । ରିପୋର୍ଟ ବିଳମ୍ବ ଯୋଗୁଁ ବୀମା ରାଶି ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି । ସମ୍ପରି ଭାଗବଣ୍ଟା ହୋଇପାରୁ ନାହିଁ। ବିଭିନ୍ନ ଆଇନଗତ ପ୍ରକ୍ରିୟା ବି ବାଧାପ୍ରାପ୍ତ ହୋଇଛି ।
ତେବେ ପୋଲିସ ଅବହେଳା ହେଉ କି ମେଡିକାଲ ଅବହେଳା, ପୋଷ୍ଟମଷ୍ଟମ ରିପୋର୍ଟ ନ ପାଇ ସମସ୍ୟା ଭୋଗୁଛନ୍ତି ପରିବାର ଓ ଆତ୍ମୀୟସ୍ବଜନ । ତେଣୁ ଖୁବଶୀଘ୍ର ରିପୋର୍ଟ ଦେଇ ମାମଲାର ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବଢୁଛି ଚାପ ।