କନକ ବ୍ୟୁରୋ : ଗାଁକୁ ରାସ୍ତା ନଥିବାରୁ ଭାରାରେ ବୁହା ହେଲେ ରୋଗୀ । କାଦୁଅ ପଚ ପଚ ବିଲ ହିଡରେ ପ୍ରାୟ ୧ କିଲୋମିଟର ଭାରାରେ ଆସିବା ପରେ ଦମକଳ ଗାଡ଼ିରେ ରୋଗୀ ଗଲେ ମେଡିକାଲ । ଏଭଳି ଅଭାବନୀୟ ଖବର କେଉଁ ଉପାନ୍ତ ଅଞ୍ଚଳର ନୁହଁ ବରଂ ରାଜଧାନୀରୁ ମାତ୍ର ୪୦ କିଲୋମିଟର ଦୂର ନିଆଳିର । ଜଲ୍ଲାରପୁର ପଞ୍ଚାୟତର ଭାରତିହୁଡ଼ାର ଦେବନ୍ଦ୍ର ମଲ୍ଲିକଙ୍କ ସ୍ତ୍ରୀ ମିତା ମଲ୍ଲିକ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯିବାର ଆବଶ୍ୟକତା ଥିଲା । କିନ୍ତୁ ଗାଁକୁ ରାସ୍ତା ନଥିବାରୁ କେମିତି ଆମ୍ବୁଲାନ୍ସ ଆସିବ ତାକୁ ନେଇ ଚିନ୍ତା ବଢିଥିଲା । ଏହା ସତ୍ବେ ବି ପ୍ରଥମେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା, କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକ ନିଆଳି ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ । ଗାଁ ଲୋକ ଶିକା ବାଉଁଶରେ ରୋଗୀଙ୍କୁ ବସାଇ କିଛି ବାଟ ଆଣିବା ପରେ ଦମକଳ ଗାଡି ପହଞ୍ଚିବାରୁ ଭାରାରେ ପ୍ରାୟ ୧କିଲୋମିଟର ରାସ୍ତା ବୋହି ବୋହି ଆଣିଥିଲେ । ସମ୍ପକ୍ତ ମହିଳାଙ୍କୁ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅଛନ୍ତି ।
ବିଡମ୍ବନାର କଥା, ଡିଜିଟାଲ ଇଣ୍ଡିଆ, ବିକଶିତ ଓଡିଶାର ସ୍ବପ୍ନ ଦେଖୁଥିବାବେଳେ ଆଜି ବି ଏହି ଗାଁକୁ ରାସ୍ତା ନାହିଁ । ମୁଖ୍ୟ ରାସ୍ତାରୁ ଏକ ବିଲ ହୁଡ଼ା ଦେଇ ଅଧ କିଲୋମିଟର ରାସ୍ତା କାଦୁଅ ଭିତରେ ପଶି ଯିବାକୁ ପଡେ ଭାରତିହୁଡ଼ାକୁ । ଦେଶ ସ୍ୱାଧିନତାର ଏତେ ବର୍ଷ ପୁରିଥିଲେ ବି ଆଜି ପର୍ଯ୍ୟନ୍ତ ଏହି ଗାଁକୁ ବିକାଶ ସାତ ସପନ ପାଲଟିଛି । ଏହି ଗାଁରେ ୮ଟି ପରିବାର ବାସ କରନ୍ତି, ଯାହାଙ୍କର ମୁଖ୍ୟ ସମସ୍ୟା ହେଲା ରାସ୍ତା । ରାସ୍ତା ସୁବିଧା ନଥିବାରୁ ବର୍ଷା ୪ମାସ ବିଦ୍ୟାଳୟକୁ ନଯାଇ ଅନୁପସ୍ଥିତ ରହି ଥାଆନ୍ତି ଏହି ଗାଁର ଛାତ୍ର । ଏମିତିକି ରାସ୍ତା ନଥିବାରୁ ଏହି ଗାଁକୁ ପୁଅ ପାଇଁ ବୋହୁ ଓ ଝିଅ ପାଇଁ ଜ୍ୱାଇଁଘର କରିବାକୁ କେହି ରାଜି ହୁଅନ୍ତି ନାହିଁ ବୋଲି ଗାଁ ଲୋକ ଅଭିଯୋଗ ବି କରନ୍ତି । ବାରମ୍ବାର ଏନେଇ ଅଭିଯୋଗ ହୋଇଛି ସତ କିନ୍ତୁ ଆଜି ଯାଏଁ ସମସ୍ୟାର ସମାଧାନ ହୋଇପାରିନି । ଆଜି ବି ଭାରତିହୁଡ଼ାବାସୀଙ୍କ ପାଇଁ ଯେମିତି ରାସ୍ତା ଖଣ୍ଡିଏ ସାତ ସପନ ପାଲଟିଛି ।