କନକ ବ୍ୟୁରୋ: ଖରାଦିନରେ ପୋଖରୀ ହୁଡ଼ା କାଟି ଦିଆଯାଇଛି । ପୋଖରୀରୁ ପାଣି ନଥିବାବେଳେ ଛଡାଯାଇଥିବା ମାଛ ଯାଆଁଳ ବି ନିଶ୍ଚିହ୍ନ ହୋଇଯାଇଛି । ଗାଁ ଲୋକଙ୍କୁ ନଜଣାଇ ପୋଖରୀ କାଟିଦେବାରୁ ଦୈନଦିନ ନିର୍ଭର କରୁଥିବା ଲୋକଙ୍କଠାରୁ ପାଣି ପାଇଁ ନିର୍ଭର ଥିବା ଗୋରୁ ଗାଈଙ୍କୁ ବି ମିଳୁନି ମୁନ୍ଦାଏ ପାଣି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡ଼ସୁଆଳ ପଂଚାୟତ ତୁଳସୀପଶି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଲୋକଙ୍କ ସମସ୍ୟା ସହ ସବୁଠୁ ବଡ କଥା ହେଲା ଗାଁର ଲୋକ ପୋଖରୀ ରକ୍ଷଣାବେକ୍ଷଣା ସହ ଛାଡିଥିଲେ ମାଛ ଯାଆଁଳ । ପୋଖରୀ ହୁଡ଼ା କାଟିଦେବାରୁ ସେଥିରୁ ପାଣି ତ ଚାଲିଯାଇଛି । ହେଲେ ସେଠାରେ ଛଡ଼ାଯାଇଥିବା ମାଛ ସବୁ ଗଲେ କୁଆଡ଼େ ତାକୁ ନେଇ ଉଠିଛି ପ୍ରଶ୍ନ? 

Advertisment

ପୋଖରୀ ହୁଡ଼ା କଟାଯାଇ ବିଲ୍ କରି ଶ୍ରମିକଙ୍କ ନାମରେ ଟଙ୍କା ଉଠୁଥିବା ଅଭିଯୋଗ ହୋଇଛି  । ପୋଖରୀ ନିକଟରେ କୌଣସି ସୂଚନା ଫଳକ ନାହିଁ । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଯଦି କାମ ଆସିଲା ଗାଁରେ ଥିବା ଶ୍ରମିକ କିପରି ଜାଣି ପାରିଲେ ନାହିଁ ? ପୋଖରୀ ନଖୋଳି କିପରି ଶ୍ରମିକଙ୍କ ନାଁରେ ଟଙ୍କା ଯାଉଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମସ୍ୟା ନେଇ ଅଭିଯୋଗ ହୋଇଥିଲେ ବି କେହି ନଶୁଣିବାକୁ ଏବେ ପୁଣି ଏହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସରକାର ଲୋକଙ୍କ ସୁବିଧା ପାଇଁ ଯୋଜନା କରୁଥିବା ବେଳେ ଏଠାରେ ମନଇଚ୍ଛା କାମକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ଏନେଇ ଖୁବଶୀଘ୍ର ତଦନ୍ତ କରାଯିବା ଜରୁରୀ ହୋଇପଡିଛି ।