କନକ ବ୍ୟୁରୋ: ଗତକାଲି ରାତିରେ ରାଜଧାନୀରେ ବିଭିନ୍ନ ଛକରେ ମଦୁଆଙ୍କୁ ସାବାଡ୍‌ କରିବା ପାଇଁ ଛକ ଛକରେ ନାକାବନ୍ଦୀ କରି ଯାଞ୍ଚ କରୁଥିଲା ପୋଲିସ। ବ୍ରେଥ ଆନାଲାଇଜର ଲଗାଇ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଇବାକୁ ଜୋରଦାର ଅପରେସନ ଚଳାଇଥିଲା। ହେଲେ ସେପଟେ ପୋଲିସକୁ ତିଳେମାତ୍ର ଭୟ କରୁନାହାନ୍ତି ଚୋର। ପ୍ରାୟ ପ୍ରତିଦିନ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଉଛନ୍ତି। ଆଉ ଚୋରି ହୋଇସାରିବା ପରେ ପୋଲିସ ପହଞ୍ଚି ବିଭିନ୍ନ ବାହାନା ଦେଖାଉଛି। 

Advertisment

କେଉଁଠି ମାଲିକ ଘରେ ତାଲା ପକାଇ ବାହାରକୁ ଚାଲିଯାଇଥିବାରୁ ଚୋରି ହୋଇଥିବା କହୁଛି, ତ ଆଉ କେଉଁଠି ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମରେ ବାହାରକୁ ଗଲେ ପୋଲିସକୁ ଜଣାଇବାକୁ କହୁଛି। ହେଲେ ରାଜଧାନୀ ଭୁବନେଶ୍ୱରର ଭିଆଇପି ଅଞ୍ଚଳ କୁହାଯାଉଥିବା, ନୟାପଲ୍ଲୀ ଅଞ୍ଚଳରୁ ଚୋରି ପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଉଛି। ବିଶେଷ କରି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। 

ସେପଟେ ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ DG ଓ CPଙ୍କୁ ମୁଖମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ ତତ୍ପରତା ପ୍ରକାଶ କରିଛି କମିଶନରେଟ୍‌ ପୋଲିସ। ଚୋରକୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାର୍ଡର ୩ଟି ଟିମ୍‌ ପୃଥକ୍‌ ପୃଥକ୍‌ ସ୍ଥାନରେ କାମ କରୁଛି। ନୟାପଲ୍ଲୀ ପୁଲିସ ଟିମ୍‌ ସହ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ବି ଏଥିରେ ସାମିଲ ହୋଇଛି I ଅଭିଯୁକ୍ତ ବାବଦରେ ଅନେକ ତଥ୍ୟ ପୁଲିସ ପାଇଛି। ଖୁବଶୀଘ୍ର ଧରିବା ପାଇଁ ପ୍ରୟାସ ଜାରି ରହିଛି। ପୁଲିସକୁ ଚୋର ବାବଦରେ ଅନେକ ଗୁଡିଏ ଲିଡ୍‌ ମିଳିଛି। ଯାହା ତଦନ୍ତ ସମୟରେ ସହାୟକ ହେବ। କିଛି ନୂଆ ସିସିଟିଭି ଫୁଟେଜ ବି ପୁଲିସ ହାତରେ ଲାଗିଛି। କିନ୍ତୁ ସମସ୍ତ ତଥ୍ୟ ଗଣମାଧ୍ୟମ ଆଗରେ ରଖିଲେ ତଦନ୍ତ ବାଧାପ୍ରାପ୍ତ ହୋଇପାରେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି।

ବଡ଼କଥା ହେଉଛି ନୟାପଲ୍ଲୀ ଅଞ୍ଚଳରେ ପୂର୍ବରୁ ଦୁଇଟି ବଡ଼ଧରଣର ଲୁଟ୍ ହୋଇଥିଲେ ବି ପୋଲିସର ହାତ ଖାଲି। ପ୍ରଶ୍ନ ଉଠୁଛି ବିଶିଷ୍ଠ ନେତାଙ୍କ ଘରୁ ଯଦି ଏଭଳି ଚୋରି ସମ୍ଭବ, ତାହାଲେ ସାଧାରଣ ଲୋକଙ୍କ ସୁରକ୍ଷା କଥା ପଚାରେ କିଏ?

  • ରାତିରେ ଆଉ ଅଚିନ୍ତା ନିଦରେ ଶୋଇ ପାରିବେନି କି ରାଜଧାନୀବାସୀ?
  • ଆଉ କେତେ ଲୁଟ୍‌ ହେଲେ ଚେତିବ ପୋଲିସ?
  • ପୋଲିସକୁ ଡରୁ ନାହାନ୍ତି କି ଲୁଟେରା?
  • କଡା ସୁରକ୍ଷା ସତ୍ତ୍ବେ ଭିଆଇପି ଅଂଚଳରେ ଚୋରି ହେଉଛି କେମିତି?
  • କେବେ ଧରାପଡ଼ିବ ଚୋର?