କନକ ବ୍ୟୁରୋ : ପୁଣି ତେଜିଲା ଅଧିନାୟକ ଓ କ୍ୟୁରେଟରଙ୍କ ବିବାଦ । କାଲି ଖେଳାଯାଉଥିବା ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଇଡେନ୍ ଗାର୍ଡେନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଠାରୁ ୪ ରନ୍ ରେ ପରାସ୍ତ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରାହାଣେ କ୍ୟୁରେଟରଙ୍କ କଥା ଉଠାଇଛନ୍ତି । ଆଇପିଏଲରେ 'ଘରୋଇ ଫାଇଦା' ଉପରେ ବିତର୍କକୁ ଜୋରଦାର କରିବା ପାଇଁ ରାହାଣେ ଇଡେନ୍ ପିଚ୍ ଏବଂ ଏହାର କ୍ୟୁରେଟର ସୁଜନ ମୁଖାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । କେକେଆରର ଲଢ଼େଇକୁ ପ୍ରଶଂସା କରିବା ସହ ରାହାଣେ କୋଲକାତାର ଆଇକନିକ ଗ୍ରାଉଣ୍ଡର ପରିସ୍ଥିତିକୁ ନେଇ ନିଜର ନିରାଶାକୁ ଲୁଚାଇ ପାରିନଥିଲେ ।
ପରାଜୟ ପରେ ରାହାଣେ ସ୍ପଷ୍ଟ ଭାବେ କହିଛନ୍ତି, ପ୍ରଥମେ ମୁଁ ସ୍ପଷ୍ଟ କରିଦେଉଛି ଯେ ସ୍ପିନରଙ୍କ ପାଇଁ କୌଣସି ସହାୟତା ମିଳିନାହିଁ । ଚଳିତ ଋତୁରେ ୩ଟି ଘରୋଇ ମ୍ୟାଚରେ କେକେଆରର ଏହା ଦ୍ବିତୀୟ ପରାଜୟ । ପିଚ୍ ବିଷୟରେ କହିବାକୁ ଯାଇ ରାହାଣେ ଇଡେନ୍ ପିଚ୍ କ୍ୟୁରେଟର ସୁଜନ ମୁଖାର୍ଜୀଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି । ଏବେ ଯଦି ମୁଁ କିଛି କହିବି, ତା'ହେଲେ କଥା ଆଗକୁ ବଢିବ ,ଆମ କ୍ୟୁରେଟରମାନେ ବହୁତ ପବ୍ଲିସିଟି ପାଇଥିଲେ । ମୁଁ ଭାବୁଛି ସେ ଏହି ପବ୍ଲିସିଟିରେ ଖୁସି ଅଛନ୍ତି । ଏବେ ଯଦି ମୁଁ କିଛି କହିବି, ତାହା ବିବାଦରେ ପରିଣତ ହେବ ବୋଲି ରାହାଣେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସ୍ପିନ ୱିକେଟ ପାଇଁ କହିଲେ ଶୁଣୁନାହାନ୍ତି କ୍ୟୁରେଟର ,କେକେଆର ପାଖରେ ସୁନିଲ ନାରିନ୍ ଓ ବରୁଣଙ୍କ ଭଳି ଅଭିଜ୍ଞ ସ୍ପିନର ଅଛନ୍ତି ହେଲେ ପିଚରୁ ସାହାଯ୍ୟ ମିଳୁନି ଆଉ ଦୋଷ ଯାଇଛି ସିଧା କ୍ୟୁରେଟରଙ୍କ ଉପରକୁ । କ୍ୟୁରେଟର ସୂଜନ ମୁଖାର୍ଜି କହିଛନ୍ତି ,ମୁଁ ଥିବା ପର୍ଯ୍ୟନ୍ତ ଇଡେନର ପିଚ ବଦଳିବ ନାହିଁ ।
ଅନ୍ୟପଟେ ପିଚ ବିବାଦରେ ଖାଲି ରାହାଣେ ନୁହେଁ ସିଏସକେ ଓ ଲକ୍ଷ୍ନୌ ଦଳର କୋଚ ଓ ମେଣ୍ଟର ମୁହଁ ଖୋଲିଛନ୍ତି । ଚେପକରେ ଚେନ୍ନାଇର ପରାଜୟ ପରେ ପ୍ରଥମ ଥର ପାଇଁ କ୍ୟୁରେଟରଙ୍କୁ ଦୋଷ ଦେଇଛନ୍ତି କୋଚ ଷ୍ଟିଫେନ ଫ୍ଲେମିଙ୍ଗ ,କହିଛନ୍ତି ଘରୋଇ ଦଳକୁ ଯେପରି ଫାଇଦା ମିଳିପାରିବ ସେ ଦିଗରେ କ୍ୟୁରେଟର କିଛି କରୁନାହାନ୍ତି । ସେହିପରି ଲକ୍ଷ୍ନୌ ଦଳର ମେଣ୍ଟର ତଥା ଟିମ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଜାହିର ଖାଁ କହିଛନ୍ତି , ଲାଗୁଛି ବିପକ୍ଷ ଦଳର କ୍ୟୁରେଟର ଆସି ହୋମ ଭେନ୍ୟୁ ଟିମର ପିଚ ପ୍ରସ୍ତୁତ କରୁଛି । ଏସବୁ ବୟାନ ଆସିଛି ସେତେବେଳେ ଯେତେବେଳ ଘରୋଇ ମାଟିରେ ଦଳ ପରାସ୍ତ ହୋଇଛି ,ହଁ ଏହା ଠିକ ଯେ କ୍ୟୁରେଟର ମାନେ ପିଚ ଓ କୋଚଙ୍କ ହିସାବରେ ଅର୍ଥାତ ଘରୋଇ ପରିବେଶରେ ଯେପରି ହୋମ ଟିମ ଭଲ କରିପାରିବ ସେ ହିସାବରେ ପିଚ ପ୍ରସ୍ତୁତ କରନ୍ତି । ହେଲେ ଚଳିତ ଆଇପିଏଲରେ ଏଥିରେ ଦେଖାଯାଇଛି ବଡ ବ୍ୟତିକ୍ରମ । ଆଗକୁ ଯଦି ଏପରି ଧାରା ଜାରି ରୁହେ ତେବେ ଫ୍ରାନଚାଇଂଜ ମାନେ ହୋମ ଭେନ୍ୟୁକୁ ବଦଳାଇବାକୁ ବେଶି ସମୟ ଲାଗିବନି