କନକ ବ୍ୟୁରୋ: ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛି ବେସାମରିକ ବିମାନ ଚଳାଚଳା ମନ୍ତ୍ରାଳୟ । କେଉଁ ସମୟରେ ଦୁର୍ଘଟଣା ଘଟିଥିଲା? ତଦନ୍ତ ପ୍ରକିୟା କେଉଁ ଦିଗରେ ଗତି କରୁଛି? ଏନେଇ ସବିଶେଷ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ରାମମୋହନ ନାଇଡୁ ।
କେମିତି ଘଟିଲା ବିମାନ ଦୁର୍ଘଟଣା?
କେତେ ଫୁଟ୍ ଉଚ୍ଚରେ ବିମାନ ଆକାଶରୁ ଖସିଥିଲା?
ବିମାନବନ୍ଦରରୁ କେତେ ଦୂରରେ ଘଟିଥିଲା ଦୁର୍ଘଟଣା?
ଗୁରୁବାର ମଧ୍ୟାହ୍ନରୁ ଏଭଳି ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଯାହାର କିଛି ତଥ୍ୟ ମିଳୁଛି, କିଛିର ମିଳିପାରୁନି । ଏହା ଭିତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ କରି ସେହି ଗୋଟିଏ ମିନିଟରେ ଘଟିଥିବା ଭୟଙ୍କର ଦୁର୍ଘଟଣା ବାବଦରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ।
ବିମାନ ଦୁର୍ଘଟଣା: ସରକାରଙ୍କ ତଥ୍ୟ
-୧.୩୯ରେ ଉଡ଼ାଣ ଭରିଥିଲା ବିମାନ ‘ଏଆଇ ୧୭୧’
-୬୫୦ ଫୁଟ୍ ଉଚ୍ଚରେ ବିମାନରେ ଗଡ଼ବଡ଼ ଅନୁଭୂତ
-ପାଇଲଟ୍ କରିଥିଲେ ମେ-ଡେ କଲ୍
-ଠିକ୍ ୧ ମିନିଟ୍ ପରେ ୧.୪୦ ମିନିଟରେ ଦୁର୍ଘଟଣା ଘଟିଥିଲା
-ବିମାନବନ୍ଦରରୁ ୨ କିଲୋମିଟ ଦୂରରେ ଦୁର୍ଘଟଣା ଘଟିଥିଲା
-ମେଧାଡ଼ି ନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ
-ବିମାନରେ ଥିଲେ ଦୁଇଜଣ ପାଇଲଟ୍, ୧୦ଜଣ କ୍ରିୟୁ ସଦସ୍ୟ
ମନ୍ତ୍ରଣାଳୟ ଏକଥାର ସୂଚନା ମଧ୍ୟ ଦେଇଛି ଯେ ଡିଏନଏ ଟେଷ୍ଟ ଶବଗୁଡିକୁ ଚିହ୍ନଟ କରାଯାଉଛି । ଦୁର୍ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ସହ ପ୍ରଥମ ଦିନରୁ ତଦନ୍ତ ଆରମ୍ଭ ହୋଇସାରିଛି । ଘଟଣାସ୍ଥଳରେ ପହଁଚିଛି ଫୋରେନସିକ ଟିମ ଓ ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ଟିମ । ବେସାମରିକ ଚଳାଚଳ ମନ୍ତ୍ରଣାଳୟରର ତଦନ୍ତକାରୀ ସଂସ୍ଥା ଅଟେ ଏଏଆଇବି । ଏହା ବିମାନ ସୁରକ୍ଷା ଓ ଉଡାଣ ସୁରକ୍ଷା ସମ୍ବନ୍ଧିତ ମାନକ ଯାଂଚ କରେ । ତଦନ୍ତ ସରିବା ପରେ ଆସିଏଓକୁ ରିପୋର୍ଟ ପ୍ରଦାନ କରିବ ମନ୍ତ୍ରାଳୟ । ତେବେ ତଦନ୍ତ ରିପୋର୍ଟ ୩ମାସ ପରେ ଆସିବ ।