କନକ ବ୍ୟୁରୋ : ସାତ ଜନ୍ମର ସାଥି ହେବା ପାଇଁ ନେଇଥିଲେ ଶପଥ । ହେଲେ ଗୋଟିଏ ଜନ୍ମର ଅଧାରୁ ସହିଲାନି ବିଧାତା । ତୀର୍ଥ କରିବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ଦମ୍ପତ୍ତି । ଏକାଠି ଜଳିଲା ଉଭୟଙ୍କ ଚିତା । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ବିଚିତ୍ରା ସାହୁ ଓ ତାଙ୍କ ଧର୍ମ ପତ୍ନୀ ବବିତା ସାହୁ ଗତ ୧୧ ତାରିଖରେ ଜମ୍ମୁ ରାଜ୍ୟର ମା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ୧୪ ତାରିଖରେ ଦର୍ଶନ ସାରି ଫେରିବାବେଳେ ଏକ ସଡ଼କ ଦୁର୍ଘଟଣାରେ ଉଭୟଙ୍କ ସହ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଦୁଇଟି ପରିବାର ଏକା ସାଙ୍ଗରେ ଏକ ଅଟୋ ରିକ୍ସାରେ ଫେରିବା ବେଳେ ଯାତ୍ରୀ ବାହି ବସ୍ ଧକ୍କା ଦେବାରୁ ମୋଟ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା । ଶ୍ରୀ ସାହୁଙ୍କ ବନ୍ଧୁ ଯୋଗିନ୍ଦ୍ର ମଟାରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଜମ୍ମୁରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ପ୍ରଶାସନର ସହଯୋଗରେ ଆଜି ତରଭା ସହରରେ ଉଭୟଙ୍କ ଶବ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତରଭା ଶ୍ମାଶନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।
ଅନ୍ୟ ପକ୍ଷରେ ଯୋଗୀନ୍ଦ୍ର ମଟାରିଙ୍କ ପାର୍ଥିବ ଶରୀର ଆସନ୍ତାକାଲି ସକାଳୁ ପହଞ୍ଚିବା ବୋଲି ସୂଚନା ମିଳିଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ୍ ସାହୁ ଓ ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ତାଙ୍କ ଘରକୁ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।