ଏମିତି ଜଣେ ମହାନ୍ ଡାକ୍ତର, ୨୩ ଘଣ୍ଟାର ଅପରେସନ୍ କଲାପରେ ରୋଗୀକୁ ଜଗି ବସିଲେ

ଥିଲେ ଜଣେ ମହାନ୍ ଡାକ୍ତର, ଜଣେ ହୃଦରୋଗୀଙ୍କୁ ୨୩ ଘଣ୍ଟା ଧରି ଅପରେସନ୍ କରି ଯମ ମୁହଁରୁ ଛଡାଇ ଆଣିଲେ ଜୀବନ । ୨୩ ଘଣ୍ଟା ପରେ ବି ଥକିନଯାଇ ସେମିତି ରୋଗୀ ପାଖରେ ଜଗିବସିଲେ , ସାରା ବିଶ୍ବ ପାଇଁ ପ୍ରେରଣାର ଉତ୍ସ ଡାକ୍ତର ଜିଗନିଉ ରେଲିଗା ।

the photo that can change the world

the photo that can change the world Photograph: (KanakNews)

କନକ ବ୍ୟୁରୋ:  ଦେହସାରା ଲାଗିଛି ପାଇପ୍ , ସାଲାଇନ୍ ଓ ମେସିନ୍ । ମୃତ୍ୟୁର ଘଣ୍ଟିବି ସେକେଣ୍ଡକୁ ସେକେଣ୍ଡ ସତର୍କ କରାଇଚାଲିଛି। ଅପରେସନ୍ ବେଡରେ ଅଚେତ ହୋଇ ଶୋଇଛନ୍ତି ଜଣେ ରୋଗୀ । ଯମକୁ ଅପରେସନ୍ ଥିଏଟରକୁ ଅନୁମତି ଦେବେନି ପାଖରେ ଜଗିବସିଛନ୍ତି ଦ୍ବିତୀୟ ଭଗବାନ। ଅପରେସନ୍ ଥିଏଟରର ଗୋଟିଏ କୋଣରେ ଜଣେ ନର୍ସ ଅଚେତ୍ ହେଲାଭଳି ଶୋଇଛନ୍ତି । ଏଭଳି ହାଲିଆ ଶୋଇ ରହିବାର କାରଣ କ’ଣ ଜାଣିଛନ୍ତି ? ଯେଉଁ ରୋଗୀ ଜଣକ ଅପରେସନ୍ ବେଡରେ ଶୋଇଛନ୍ତି ତାଙ୍କର ହାର୍ଟ ସର୍ଜରୀ  ହୋଇଛି । ଆଉ ଏହି ସର୍ଜରୀ ପାଇଁ ୨ /୩ ଘଣ୍ଟା ନୁହେଁ ପୂରା ୨୩ ଘଣ୍ଟା ସମୟ ଲାଗିଛି । ଚିନ୍ତା କରିପାରୁଛନ୍ତି ତ ୨୩ ଘଣ୍ଟା । ରୋଗୀ ପାଖରେ ଯିଏ ବସିଛନ୍ତି ସେ ହେଉଛନ୍ତି ସେହି ୨୩ ଘଣ୍ଟା ଅପରେସନ୍ କରିଥିବା ମହାନ୍ ଡାକ୍ତର ଜଣକ । ଲଗାତାର ୨୩ ଘଣ୍ଟା ସର୍ଜରୀ କରିବା ପରେ ବି ତଥାପି ତାଙ୍କ ଆଖିରେ ନିଦ ନାହିଁ । ରୋଗୀଙ୍କୁ ଜଗିବସିଛନ୍ତି। କେବଳ ଗୋଟିଏ ଜିଦ୍ ଯେପର୍ଯ୍ୟନ୍ତ ରୋଗୀର ଚେତା ନଫେରିଛି ସେପର୍ଯ୍ୟନ୍ତ ସେ ସେଠୁ ଉଠିବେନି । ଓଃ କି ଧୈର୍ଯ୍ୟ, କି ନିଷ୍ଠା । ପ୍ରକୃତରେ ଦ୍ବିତୀୟ ଭଗବାନଙ୍କ ଦମ୍ଭ ମାନିବାକୁ ପଡ଼ିବ। 

ଫଟୋରେ ଯେଉଁ ବ୍ୟକ୍ତିଙ୍କୁ ଦେଖୁଛନ୍ତି ସେ ପୋଲାଣ୍ଡର ଖ୍ୟାତନାମା ଡାକ୍ତର ତଥା ହାର୍ଟ ସର୍ଜନ୍ ଡ.ଜିଗନିଉ ରେଲିଗା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ଅପରେସନ୍ କି ଏ ଫଟୋ ଏବେକାର ନୁହେଁ । ଏହା ହେଉଛି ୧୯୮୭ର ଘଟଣା । ଏହାରି ଭିତରେ ଡାକ୍ତର ରେଲିଗାଙ୍କ ଅଫେରା ରାଇଜକୁ ଚାଲିଯାଇଛନ୍ତି ସତ ହେଲେ ତାଙ୍କ ପାଇଁ ଜୀବନ ପାଇଥିବା ସେହି ରୋଗୀ ଟାଡିୟୁଜ୍  ଜିଗଭିଗ୍ସଙ୍କ ଆଜିବି ଜୀବିତ ଅଛନ୍ତି । ଆଉ ଦ୍ବିତୀୟ ଜନ୍ମ ପାଇବାବେଳର ସେ ସବୁ ସ୍ମୃତିକୁ ସାଉଁଟିଛନ୍ତି ଜିଗଭିଗ୍ସ। ସୋସିଆଲ ମିଡିଆରେ ଏହି ଫଟୋକୁ ସେ ନିଜେ ସେୟାର କରିଛନ୍ତି । ସେଦିନର ଏହି ଫଟୋ ଆଜି ସାରା ବିଶ୍ବରେ ଦି ବେଷ୍ଟ ଫଟୋ ହୋଇରହିଛି । ଏ ଫଟୋକୁ ନେଇ  ସମସ୍ତଙ୍କ ମୁହଁରେ ପ୍ରଶଂସା ଆଉ ପ୍ରଶଂସା। ସଭିଏଁ କହୁଛନ୍ତି ,ଇଏ ତ ଦ୍ବିତୀୟ ଭଗବାନ।

ଦର୍ଶକ ବନ୍ଧୁ! ଏ ଫଟୋକୁ ଦେଖାଉଥିବା ବ୍ୟକ୍ତି ହେଉଛନ୍ତି ନିଜେ ରୋଗୀ ପୋଲାଣ୍ଡର ଟାଡିୟୁଜ୍ ଜିଗଭିଗ୍ସ । ଏ ଅପରେସନ୍ ସହଜ ନଥିଲା । ଅନେକ ଡାକ୍ତର ଅନେକ ହାର୍ଟ ସର୍ଜରୀ କରୁଛନ୍ତି ହେଲେ ଏ ହାର୍ଟ ଅପରେସନ୍ ସବୁଠୁ ଚର୍ଚ୍ଚିତ ଆଉ ଚ୍ୟାଲେଞ୍ଜିଙ୍ଗ ଥିଲା । କାରଣ ହୃଦଘାତର ଶିକାର ହେବା ପରେ ତାଙ୍କ ବଞ୍ଚିବାର ମାତ୍ର ଗୋଟିଏ ପ୍ରତିଶତ ଆଶା ଥିଲା । କହିବାକୁ ଗଲେ ମୃତ୍ୟୁର ଦ୍ବାରଦେଶରେ ଥିଲେ ଜିଗଭଗ୍ସ । ଭୟରେ କୌଣସି ଡାକ୍ତର ତାଙ୍କର ହାର୍ଟ ଅପରେସନ୍ କଲେ ନାହିଁ । କିନ୍ତୁ ଡକ୍ଟର ରେଲିଗା ଡାକ୍ତର ହେବାର ଧର୍ମ ନିର୍ବାହ କଲେ। ମୃତ୍ୟୁକୁ  ମାତ୍ ଦେବାକୁ ଚ୍ୟାଲେଞ୍ଜ ଦେଇ ଅପରେସନ୍ ବି କଲେ। ଗୋଟେ ପଟେ ଯମ ଆଉ ଗୋଟେ ପଟେ ଡାକ୍ତର ରେଲିଗା , ଲଗାତାର ୨୩ ଘଣ୍ଟାର ସଂଘର୍ଷ। ୨୩ ଘଣ୍ଟାର ଅପରେସନ୍ ପରେ ବି ଥକିଲେନି । ରୋଗୀ ଜିଗଭିଗ୍ସ ଚେତାକୁ ଆସିବା ଯାଏଁ ସେମିତି ଜଗିବସିଲେ । ବୋଧହୁଏ ରେଲିଗାଙ୍କ ଦୁର୍ଦ୍ଧର୍ଷ ଆତ୍ମବିଶ୍ବାସକୁ ଦେଖି ହାର ମାନିଲା ଯମ । ନୂଆ ଜୀବନ ପାଇଲେ ଟାଡିୟୁଜ୍ ଜିଗଭିଗ୍ସ । ତାଙ୍କର ଏହି ସର୍ଜରୀ ଚିକିତ୍ସା ଜଗତରେ ଚହଳ ସୃଷ୍ଟି କରିଥିଲା । କେବଳ ଡାକ୍ତରୀ ପେସା ନୁହେଁ ରାଜନୀତିରେ ମଧ୍ୟ ଖୁବ୍ ଦକ୍ଷ ଥିଲେ ଡାକ୍ତର ରେଲିଗା ହେଲେ ସୀମିତ ସମୟ ଯୋଗୁଁ ସେସବୁ ଉପସ୍ଥାପନ କରିବା ସମ୍ଭବ ହେଉନି । 

୩୮ ବର୍ଷ ପୂର୍ବର ଏ ଘଟଣା ହୁଏତ କାହାରି ମନେନଥିବ। ହେଲେ ଦୀର୍ଘ ବର୍ଷ ପରେ ନିଜେ ରୋଗୀ ଜିଗଭିଗ୍ସ ନିଜ ଜୀବନଦାତାଙ୍କ ଫଟୋକୁ ସେୟାର କରିବା ପରେ ସୋସିଆଲ ମିଡ଼ିଆରେ ଏହା ଚର୍ଚ୍ଚିତ ହୋଇଛି। ଜୀବନ ଯୁଦ୍ଧରେ ହାରି ଯାଉଥିବା ମଣିଷ, ଆତ୍ମବିଶ୍ବାସ ଆଗରେ ମୁଣ୍ଡ ନୁଆଁଉଥିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏ ଗୋଟିଏ ଫଟୋ ଯଥେଷ୍ଟ। ଦମ୍ଭ, ଅପେକ୍ଷା, ନିଷ୍ଠାପରତା, କର୍ତ୍ତବ୍ୟ, ଧର୍ମ ଆଦିକୁ କିଭଳି ନିଭାନ୍ତି ଏଫଟୋଟି ବେଶ୍ ଭଲଭାବେ ବୁଝାଇଦେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe