କନକ ବ୍ୟୁରୋ:  ଅଭାବ ଓ ଅସୁବିଧା ଦୃଢ଼ ସଙ୍କଳ୍ପ ନେବା ପାଇଁ ବାଟ ଦେଖାଏ । କଠିନ ପରିଶ୍ରମ ଓ ଦୃଢ଼ ଇଛାଶକ୍ତି ବଳରେ ସଫଳତା ନିଶ୍ଚୟ ମିଳିଥାଏ । ଯାହାର ବାସ୍ତବତା ଚିତ୍ର ଦେଖିବାକୁ ମିଳିଛି ବାରିପଦାର ମା’ ଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ କ୍ଷେତ୍ରରେ । ଗୋଷ୍ଠୀର ୧୦ ଜଣ ମହିଳା  କୋଭିଡ଼ ସମୟରେ ଆଚାର ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ୩୦ରୁ ୩୫ ଜଣ ମହିଳା କାମ କରି ରୋଜଗାରକ୍ଷମ ହୋଇଛନ୍ତି । ବାରିପଦା ମ୍ୟୁନିସପାଲିଟି ସହଯୋଗରେ "ମୋ ଆଚାର" ନାମରେ ଆରମ୍ଭ କରିଥିଲେ ଏହି ଆଚାର ପ୍ରସ୍ତୁତି କେନ୍ଦ୍ର । ୨୦୨୧ରେ ପ୍ରଥମେ କେବଳ ୧୦ କ୍ୱିଣ୍ଟାଲ ଆମ୍ୱ ଆଚାର ପ୍ରସ୍ତୁତି ହେଉଥିଲା ।

Advertisment

 ଏବେ ଓଡ଼ିଶାର ଅନେକ ଜିଲ୍ଲାର ଆହାର କେନ୍ଦ୍ର ସହିତ ଖୋଲା ବଜାରକୁ ବାର୍ଷିକ ୮୦ ରୁ ୯୦ ଟନ ଆଚାର ଯୋଗାଉଛନ୍ତି । ଆଖପାଖର ୫୦ ରୁ ୬୦ ଜଣ ଚାଷୀ ତାଙ୍କ ଜମିରୁ ଉତ୍ପାଦିତ ଗାଜର, ଲଙ୍କା, ଟମାଟୋ, ରସୁଣ, ଅଦା, ଓଉ ବିକ୍ରି କରି ଲାଭବାନ ହେଉଛନ୍ତି । ମହିଳା ମାନେ ପ୍ରଥମେ ୩୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ନେଇ ୧୫ ଲକ୍ଷ ଟଙ୍କାର ମେସିନ୍ ଓ ଆନୁସଙ୍ଗିକ ଆସବାବପତ୍ର କିଣିଥିଲେ । ବାକି ୧୫ ଲକ୍ଷ ଟଙ୍କା ଆଚାର ସାମଗ୍ରୀରେ ବିନିଯୋଗ କରି ଆଚାର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିଛନ୍ତି ।

ଏଠାରେ ପାର୍ଟ ଟାଇମ୍ କାମ କରି ଏକାଧିକ ଯୁବତୀ ସେମାନଙ୍କ ପାଠ ପଢା ସହିତ ନିଜର ହାତଖର୍ଚ୍ଚ ଉଠାଇ ପାରୁଛନ୍ତି । ପ୍ରଥମେ ୪ରୁ ୫ ପ୍ରକାରର ଆଚାର ପ୍ରସ୍ତୁତ ହେଉଥିଲା । ଏବେ ମିକ୍ସ ପରିବା ସହିତ ଗାଜର, ଲେମ୍ବୁ, ଲଙ୍କା, ରସୁଣ, ଅଦା, ଆମ୍ବ, ଓଉ, ବରକୋଳି ଏବଂ ଦହି ଲଙ୍କା ଭଳି ପ୍ରାୟ ୧୫ ରୁ ୧୬ ପ୍ରକାର ଆଚାର ପ୍ରସ୍ତୁତ କରି ନିଜର ବ୍ୟବସାୟକୁ ବଢ଼ାଇଛନ୍ତି । ଏଥିପାଇଁ ମହିଳାଙ୍କୁ ଓରମାସ ପକ୍ଷରୁ ସବୁ ପ୍ରକାରର ସହାୟତା ମିଳିଛି ।  କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି ଏହି ମହିଳା ମାନେ । ଆଗକୁ ଆଉ କିଛି ନୂଆ ଆଇଟମ୍ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।