କନକ ବ୍ୟୁରୋ :  ନୂଆ ଖାଇଲେ ଗଡ଼ଜାତ ଅଞ୍ଚଳ ବାସୀ । ନୂଆଖାଇ ପର୍ବକୁ ନେଇ କଳହାଣ୍ଡିର ଗଡଜାତ ଅଞ୍ଚଳରେ ଦେଖିବାକୁ ମିଳିଛି ଉତ୍ସାହର ମହୋଲ । ସବୁଠି ଭାଦ୍ରବ ପଞ୍ଚମୀ ତିଥିରେ ନୂଆଖାଇ ପାଳନ ହେଉଥିବା ବେଳେ ଗଡଜାତ ଅଞ୍ଚଳରେ ପ୍ରତିପଦା ଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ୟ୍ୟନ୍ତ ପର୍ୟ୍ୟାୟ କ୍ରମେ ଚାଲିଥାଏ ନୂଆଖାଇ । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଠାରେ ଆଜି ନବାନ୍ନ ଲାଗି ହେବା ପରେ ଜିଲ୍ଲାର ଗଡଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମା’ଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ଆଜି ଦଶମୀ ତିଥିରେ ପାଳିତ ହୋଉଛି ଗଣପର୍ବ ନୂଆଖାଇ । ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୮ ଘଣ୍ଟା ୪୦ ମିନିଟରେ ବିଧି ବିଧାନ ଅନୁଯାୟୀ ମା' ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇସାରିବା ପରେ ସକାଳ ୯ଟାରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Advertisment

ମାଙ୍କ ମନ୍ଦିରରୁ ଭୋଗ ନେଇ ତଥା ନିଜ ଇଷ୍ଟଦେବୀଙ୍କ ନିକଟରେ ପୂଜା କରିସାରିବା ପରେ ନିଜ ପରିବାର ଗହଣରେ ନୂଆଖାଇ ପାଳିଛନ୍ତି ସମଗ୍ର ଗଡ଼ଜାତ ଅଞ୍ଚଳବାସୀ । ଖିରି ପୁରୀ ପିଠାପଣାରେ ଏବେ ମହକି ଉଠିଛି ଗାଁଠୁ ସହର । ଜୁହାର ଭେଟ ସହ ନାଚଗୀତରେ ମସଗୁଲ ହୋଇଛନ୍ତି ଗଡ଼ଜାତ ଅଞ୍ଚଳବାସୀ । ଗଣେଶ ପୂଜା ପରଦିନ ଆର୍ଥାତ ଭାଦ୍ରବ ପଞ୍ଚମୀକୁ ନୂଆଁଖାଇ ରୂପେ ପଶ୍ଚିମ ଓଡିଶା ତଥା ରାଜ୍ୟରେ ପାଳନ କରାଯାଏ ନୂଆଁଖାଇ । କିନ୍ତୁ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଉ ଥିବା ବେଳେ କଳାହାଣ୍ଡିର ରଜ ପାରିବାର, ଜମିଦାର ଓ ସେମାନଙ୍କ ସହ ଜଡ଼ିତ ପାରିବାରମାନେ ଦଶହରାରେ ବିଜୟ ଦଶମୀ ତିଥିରେ ନୂଆଁଖାଇ ପଳାନ କରିଥାନ୍ତି ।