କନକ ବ୍ୟୁରୋ : ରାଜଧାନୀରେ କଂଗ୍ରେସର ରଣହୁଙ୍କାର । ବିଧାନସଭା ଘେରିବାକୁ ବିଶାଳ ପଦଯାତ୍ରା ପରେ ଲୋୟର ପିଏମ୍ଜିରେ ଉତ୍ତେଜନା । ପୋଲିସ ସହ ଧସ୍ତାଧସ୍ତି, ସୁରକ୍ଷାକର୍ମୀଙ୍କ ଲାଠି ଚାର୍ଜ । ରଣକ୍ଷେତ୍ର ପାଲଟିଲା ଧାରଣାସ୍ଥଳ । ଢେଲା, ପଥର ସହ ପ୍ଲାଷ୍ଟିକ୍ ଚେୟାର ଓ ଅଣ୍ଡା ଫୋପାଡିଲେ କର୍ମୀ । ନିୟନ୍ତ୍ରଣ ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ । କିନ୍ତୁ ଏହି ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇଛନ୍ତି ସାଧାରଣ ଜନତା । ସକାଳୁ ସକାଳୁ ଆଜି କମିଶନରେଟ୍ ପୁଲିସ ଅଫିସ ଆଗରେ ଚେକିଂକୁ କଡ଼ାକଡ଼ି କରାଯାଇଥିଲା । ରାସ୍ତାରେ ଯାଉଥିବା ଲୋକମାନଙ୍କ ପରିଚୟ ପତ୍ର ଯାଂଚ କରୁଥିଲା ପୁଲିସ ।
କଂଗ୍ରେସର ରାଲି ପାଇଁ ସକାଳ ୯ଟାରୁ ରାମମନ୍ଦିର ଛକଠାରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇଥିଲା । ସେହିପରି ପୁଲିସ ମାନସ ଚୌଧୁରୀଙ୍କୁ ଗିରଫ କରିବା ବେଳେ, ରାସ୍ତା ଉପରେ ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀ, ଫଳରେ ଲକ୍ଷ୍ମୀସାଗର ଛକରେ କିଛି ସମୟ ପାଇଁ ଟ୍ରାଫିକ ଜାମ୍ ହୋଇଥିଲା । କଂଗ୍ରେସ ଆନ୍ଦୋଳନ ଯୋଗୁ ରାଜଧାନୀର ପ୍ରମୁଖ ଛକ ମାନଙ୍କରେ ଅସମ୍ଭାଳ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା ।