କନକ ବ୍ୟୁରୋ: ଆରମ୍ଭ ହୋଇଛି ପାର୍ବଣ ରୁତୁ । ଅଗ୍ରପୁଜ୍ୟ ଗଜାନନଙ୍କ ପୂଜା ପରେ ପରେ ଆରମ୍ଭ ହୋଇଯାଏ ଅନ୍ୟ ପାର୍ବଣର ମାହୋଲ । ଆଉ କିଛି ଦିନ ପରେ ଆରମ୍ଭ ହେବ ଷୋଡ଼ଶ ଉପଚାର ପୂଜା । ଧରାବରତଣ କରିବେ ମାଆ ଜଗତଜନନୀ। ଦେବୀ ଦୁର୍ଗାଙ୍କ ଧରାବତରଣ ପୂର୍ବରୁ ଧରାପୃଷ୍ଟରେ ବିଛାଇ ହୋଇଗଲାଣି କାଶତଣ୍ଡୀର ଚାଦର ।
ବାହୁଡ଼ି ଯାଇଛି ଧାରା ଶ୍ରାବଣ । ଆଶ୍ୱିନରେ ମାଆଙ୍କ ଆବାହନୀ ବାର୍ତ୍ତା ନେଇ ମୁଁ ଆସିଛି । ଧୀର ପବନରେ ଦୋଳି ଖେଳୁଛି। ସେଥିପାଇଁ ତ ସମସ୍ତେ ମୋତେ କୁହନ୍ତି ମୁଁ କୁଆଡ଼େ ଏ ପ୍ରକୃତିର ଅନନ୍ୟ ବରଦାନ। ମୋ ଆଗମନେ ଆନମନା ସମସ୍ତେ । ମୁଁ ଜମାଇଦିଏ ପାର୍ବଣର ମାହୋଲ । ଗାଁଠୁ ସହର, ନଈପଠାରୁ ପୋଖରୀ ତୁଠ, ଜମି ହିଡ଼, ରାସ୍ତାକଡ଼ ସବୁଠି କାଶତଣ୍ଡିର ଫୁଆରା । ଦୋଳାୟମାନ କେରାକେରା କାଶତଣ୍ତି ସମ୍ଭାର କବି, ଲେଖକଙ୍କୁ ଆନମନା କରୁଛି । ବାଟରେ ଯାଉଥିବା ବାଟୋଇଙ୍କୁ ବି ନିଜ ପାଖରେ ଅଟକାଇ ଦେଉଛି ।
କାଶତଣ୍ଡୀର ସୌନ୍ଦର୍ଯ୍ୟରେ ବିଭୋର କବିର କଲମରୁ ଝରିଆସେ ଶବ୍ଦର ମାଳା । କେବଳ କବି ଭାବୁକ କି ଲୋକଙ୍କୁ ନିଜ ପାଖରେ ସୀମିତ ରଖିନି ଏ ବାସହୀନ ଫୁଲ । ମାଆଙ୍କ ସହିତ କାଶତଣ୍ଡିର ରହିଛି ଅନେକ ସାମଞ୍ଜସ୍ୟ । ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀକୁ ରେଖାପଞ୍ଚମୀ କୁହାଯାଏ । ସେହିଦିନ ଜଗନ୍ନାଥଙ୍କୁ ରାହୁରେଖା ଧାରଣ କରାଯାଏ । କାଶତଣ୍ଡିକୁ ବେଣୀ କରି ଘରେଘରେ ଟାଙ୍ଗି ପରିବାର ଶୁଭମନାସି ଯାଇଥାଏ । ମାଆଙ୍କ ଆଗମନ ଓ ପ୍ରକୃତିର ଶୋଭା ବଢ଼ାଇବାକୁ ସବୁଜିମା ବୃକ୍ଷଲତାରେ ଧଳାଶାଢ଼ିର ପଣତ କାନିରେ ଢାଙ୍କି ଦେଇଛି କାଶତଣ୍ଡି ।