କନକ ବ୍ୟୁରୋ: ସରିଲା ମହାପ୍ରଭୁଙ୍କ କାର୍ତ୍ତିକ ମାସର ସ୍ଵତନ୍ତ୍ର ରାଧାଦାମୋଦର ବେଶ। ଆସନ୍ତାକାଲି ପବିତ୍ର ମହାକାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିଠାରୁ ଆରମ୍ଭ ହେବ ପଞ୍ଚକ ବ୍ରତ । ପଞ୍ଚୁକ ପାଇଁ ସଅଳ ନୀତି, ଶୃଙ୍ଖଳିତ ଦର୍ଶନ ,ଉପରେ ଗୁରୁତ୍ୱାରୋପ କରିବା ସହ ବାନା ପରିବର୍ତ୍ତନ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସଅଳ ଅର୍ଥାତ୍ ଅପରାହ୍ନ ୩ଟା ୩୦ରୁ ମହାପ୍ରଭୁଙ୍କ ବାନା ପରିବର୍ତ୍ତନ ନୀତି ହୋଇଛି ।
- ମହାକାର୍ତ୍ତିକର ଅନ୍ତିମ ପର୍ବ
- ପଞ୍ଚକ ଭିଡ ପାଇଁ ଭିତରକାଠ ଦର୍ଶନ ବନ୍ଦ
ରାତି ପାହିଲେ ପଞ୍ଚକବ୍ରତ ପାଳନ କରିବେ ବ୍ରତଧାରୀ। ଏନେଇ ହବିଷ୍ୟାଳୀଙ୍କ ମନରେ ନାହିଁ ନଥିବା ଉତ୍ସାହ । କାର୍ତ୍ତିକର ସ୍ବତନ୍ତ୍ର ବାଳଭୋଗ ଧୂପ ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୪ରୁ ଦ୍ୱାରଫିଟା ସହ ସଅଳ ନୀତି ଉପରେ ଗୁରୁତ୍ବ ଦିଆଯାଇଛି । ପଞ୍ଚକରେ ଭିଡକୁ ଦୃଷ୍ଟିରେ ରଖି ଭିତର କାଠଦର୍ଶନ ବାରଣ ରହିଥିବା ବେଳେ ଏହି ସମୟରେ କେବଳ ବାହାର କାଠ ଦର୍ଶନ କରିପାରିବେ ଭକ୍ତ । ଭିତର ବେଢ଼ାରେ ଦୀପ ଲଗାଇବାକୁ ମଧ୍ୟ ବାରଣ କରାଯାଇଛି । ଅନ୍ୟପଟେ ଦୈନଦିନ ବାନା ପରିବର୍ତ୍ତନ ସମୟରେ ପାଟ ଅଗଣାରେ ହେଉଥିବା ଭିଡକୁ ନିୟନ୍ତ୍ରଣ ପାଇଁ ସଅଳ ହୋଇଛି ବାନା ପରିବର୍ତ୍ତନ ନୀତି । ପ୍ରଶାସନର ଚିଠି ଅନୁସାରେ ୩ଟା ୩୦ ରୁ ୪ ଟା ମଧ୍ୟରେ ବାନା ପରିବର୍ତ୍ତନ ନୀତି ସାରିଛନ୍ତି ଚୁନରା ସେବାୟତ । ତେବେ ପଞ୍ଚକରେ ଭିଡକୁ ଦୃଷ୍ଟିରେ ରଖି ହୋଇଛି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ।
- କାଲି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ
- ତିଥି କ୍ଷୟ ପାଇଁ ଏଥର ପଞ୍ଚକ ୪ ଦିନ
ଆସନ୍ତାକାଲି ପଞ୍ଚକର ପ୍ରଥମ ଦିନ,କାର୍ତ୍ତିକ ଶୁକ୍ଳ ଏକାଦଶୀ ଅର୍ଥାତ୍ ହରି ଉଥାନ ଏକାଦଶୀରେ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏଥିସହିତ ଓଡ଼ିଆ ପରମ୍ପରା ଓ ଚଳଣୀ ଅନୁଯାୟୀ ହରିଶୟନ ଏକାଦଶୀ ଠାରୁ ବନ୍ଦ ରହିଥିବା ସମସ୍ତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । ତିଥିକ୍ଷୟ ଯୋଗୁଁ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମନୃସିଂହ ବେଶ ଦର୍ଶନ କରିବାରୁ ବଞ୍ଚିତ ହେବେ ଭକ୍ତ । ପଞ୍ଚକର ପ୍ରତ୍ୟେକ ଦିନ ମହାପ୍ରଭୁ ଆଡାକାନୀ,ଶ୍ରୀପୟର ଓ କୁଣ୍ଡଳୀ ଇତ୍ୟାଦି ପିନ୍ଧି ଦର୍ଶନ ଦେବାସହ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସ୍ବତନ୍ତ୍ର ରାଜାଧିରାଜ ବେଶ ବା ସୁନାବେଶରେ ଦର୍ଶନ ଦେବେ ।
ପଞ୍ଚକ ପାଇଁ ତିନି ପର୍ଯ୍ୟାୟରେ ହୋଇଛି ବ୍ୟାରିକେଡ଼ ଦର୍ଶନ ବ୍ୟବସ୍ଥା । ସୁରକ୍ଷା ଦୃଷ୍ଟିକୋଣରୁ ୩୮ ପ୍ଲାଟୁନ ଫୋର୍ସ ବି ମୁତୟନ ହୋଇଛନ୍ତି ।