ପହଲଗାମ ପ୍ରତିଶୋଧ ପାଇଁ ସମରସଜା କରୁଛି ଭାରତ,  ବାୟୁସେନା ଓ ନୌସେନାର ସମରାଭ୍ୟାସ ପରେ ଋଷ୍‌ରୁ ଆଣିଲା ପ୍ରତିରୋଧୀ କ୍ଷେପଣାସ୍ତ୍ର

ସେପଟେ ଆକ୍ରମଣ ଭୟରେ ରାତି ସାରା ଅନିଦ୍ରା ପାକିସ୍ତାନ ସରକାର । ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଲେ ପାକ୍ ରାଷ୍ଟ୍ରପତି ।

ଶୋଇ ପାରୁନି ପାକିସ୍ତାନ

ଶୋଇ ପାରୁନି ପାକିସ୍ତାନ Photograph: (Kanak News)

କନକ ବ୍ୟୁରୋ: ପହଲଗାମ ଆତଙ୍କୀ ହମଲା ପରେ ଆକ୍ରମଣାତ୍ମକ ମୁଦ୍ରାରେ ଭାରତ । ବସୁଛି ଘନ ଘନ ବୈଠକ, ସୀମାରେ ସୈନବଳ ପକ୍ଷରୁ ଚାଲିଛି ସମରାଭ୍ୟାସ। ଶତ୍ରୁପକ୍ଷଙ୍କୁ ଧୂଳି ଚଟାଇବାକୁ ବିଭିନ୍ନ ସ୍ତରରେ ପ୍ରସ୍ତୁତ ହେଉଛି ରଣନୀତି । ସୀମାରେ ଭାରତର କଠୋର ଏବଂ ଆକ୍ରମଣାତ୍ମକ ନୀତିକୁ ଦେଖି ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବଢୁଥିବା ଚାପ ଏବଂ ଆଭ୍ୟନ୍ତରୀଣ ଅସ୍ଥିରତା ମଧ୍ୟରେ ପାକିସ୍ତାନ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସୋମବାର ସଂଧ୍ୟା ୫ଟାରେ ବସିବାକୁ ଯାଉଥିବା ଏହି ଅଧିବେଶନରେ ଭାରତ ବିରୋଧରେ କୂଟନୈତିକ ଏବଂ ରଣନୈତିକ ପଦକ୍ଷେପ ନେଇ ହୋଇପାରେ ଆଲୋଚନା । ସେପଟେ ଭାରତକୁ ପୁଣିଥରେ ପରମାଣୁ ଧମକ ଦେଇଛି ପାକିସ୍ତାନ । ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେଲେ ପରମାଣୁ ଆକ୍ରମଣ କରିବୁ ବୋଲି କହିଛନ୍ତି ରୁଷରେ ଅବସ୍ଥାପିତ ପାକିସ୍ତାନୀ ରାଷ୍ଟ୍ରଦୂତ । 
 
ପାକିସ୍ତାନ ବିରୋଧରେ କୌଣସି ସମୟରେ ଭାରତ ନେଇପାରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ। ସ୍ଥଳ, ଜଳ ଓ ବାୟୁସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ରୁଦ୍ଧଦ୍ବାର ବୈଠକ ଏହି ଚର୍ଚ୍ଚାକୁ ବଢାଇଛି। ଶନିବାର ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ ଲଢିବା ନେଇ ନୂଆଦିଲ୍ଲୀରୁ ଇସଲାମାବାଦକୁ ଚେତାବନୀ ଦେଇଥିଲେ ପିଏମ ମୋଦୀ । 

ପାକ୍ତିସ୍ତାନ ସହ ତିକ୍ତତା ଭିତରେ ଭାରତକୁ ମିଳିଲା ନୂଆ ଏୟାର ଡିଫେନ୍ସ ମିଶାଇଲ । ରୁଷରୁ ଆସିଲା ଅତ୍ୟାଧୁନିକ ଇଗଲା-ଏସ ମିସାଇଲ ସିଷ୍ଟମ । ୨୬୦ କୋଟି ଟଙ୍କାରେ ମୋଟ୍ ୫୨ଟି ମିସାଇଲ ସିଷ୍ଟମ ପାଇଁ ଉଭୟ ଦେଶଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଏହି ମିସାଇଲ ସିଷ୍ଟମକୁ ଏଲଏସି ଓ ଏଲଓସିରେ ମୁତୟନ କରାଯିବ। ରାଡାର ଓ ଲେଜର ସେନସରରେ ନିର୍ମିତ ଏହି ମିସାଇଲର ଲକ୍ଷ୍ୟଭେଦୀ କ୍ଷମତା ୬ କିଲୋମିଟର ରହିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe