କନକବ୍ୟୁରୋ : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସନାଲ୍ କାଉନସିଲ ଅଫ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ଏକ୍ସପ୍ଲୋରିଂ ସୋସାଇଟି ଇଣ୍ଡିଆ ଆଣ୍ଡ୍ ବିୟନ୍ତ୍ ପୁସ୍ତକର ଦ କଲୋନିଆଲ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶାର ପାଇକ ବିଦ୍ରୋହ ବାଦ୍ ପଡ଼ିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ୨୦୧୭ରେ ଏନ୍ସିଆଇଆର୍ଟି ଦ୍ଵାରା ପ୍ରଚଳିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପୁସ୍ତକରେ ବ୍ରିଟିସ୍ମାନଙ୍କ ବିରୋଧରେ ହୋଇଥିବା ପ୍ରଥମ ସ୍ବାଧୀନତା ସଂଗ୍ରାମର ପ୍ରତୀକ ଭାବେ ଓଡ଼ିଶାର ପାଇକ ବିଦ୍ରୋହ ୧୮୧୭ ଆନ୍ଦୋଳନକୁ ସାମିଲ କରାଯାଇଥିଲା ।
ହେଲେ ସଦ୍ୟ ପ୍ରକାଶିତ ପୁସ୍ତକରେ ବ୍ରିଟିସ ସରକାରଙ୍କ ବିରୋଧରେ ଯେଉଁ ୪ଟି ପ୍ରଥମ ସଂଗ୍ରାମ ବିଷୟ ସାମିଲ ରହିଛି ସେଥିରେ ଓଡ଼ିଶାର ପାଇକ ବିଦ୍ରୋହ ସ୍ଥାନ ପାଇ ନାହିଁ । ଅନ୍ୟ ପକ୍ଷେ ପ୍ରକାଶିତ ପୁସ୍ତକରେ ୧୭୭୦ରେ ବ୍ରିଟିସ୍ ରାଜ୍ ବିରୋଧରେ ଘଟିଥିବା ସନ୍ନ୍ୟାସୀ ଫକୀରଙ୍କ ବିଦ୍ରୋହ, ଛୋଟନାଗପୁର ଅଂଚଳର ୧୮୩୧-୩୨ର କୋଲ ବିଦ୍ରୋହ, ୧୮୫୫-୫୬ରେ ଓଡ଼ିଶା ବିହାର ଓ ବଙ୍ଗଳାରେ ସାନ୍ତାଳ ଜନଜାତିଙ୍କ ବିଦ୍ରୋହ ଏବଂ ଉତ୍ତରପୂର୍ବ ବଙ୍ଗଳାର ୧୮୫୦-୬୨ର ଇଣ୍ଡିଗୋ ବିଦ୍ରୋହକୁ ସାମିଲ କରାଯାଇଛି ।
ସୂଚନାଯୋଗ୍ୟ ଓଡ଼ିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଥିବା ବେଳେ ଏସିଇଆର୍ଟିର ଚଳିତ ବର୍ଷ ପାଠ୍ୟକ୍ରମରୁ ଏହି ବିଷୟକୁ ବାଦ ଦେବା ଅନେକଙ୍କୁ ବ୍ୟଥିତ କରିଛି ।
ଉଲ୍ଲେଖଯୋଗ୍ୟ ପାଇକ ବିଦ୍ରୋହକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବା ପାଇଁ ରାଜ୍ୟର ତତ୍କାଳୀନ ବିଜେଡି ସରକାର ଓ କେନ୍ଦ୍ରର ଏନ୍ଡିଏ ସରକାରଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଜୁଲାଇ ୨୦୧୭ରେ କେନ୍ଦ୍ରର ଏନ୍ଡିଏ ସରକାର ଦିଲ୍ଲୀରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହର ଆୟୋଜନ କରିଥିଲେ। ସେହି ବର୍ଷ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବୋଲି ଘୋଷଣା କରିବାକୁ ଦାବି କରିଥିଲେ। ସେହି ବର୍ଷ ଏସିଇଆର୍ଟି ଦ୍ଵାରା ବ୍ରିଟିସ୍ ବିରୋଧରେ ହୋଇଥିବା ପ୍ରାରମ୍ଭିକ ବିଦ୍ରୋହକୁ ଏକ କେସ୍ ଷ୍ଟଡି ରୂପେ ଗ୍ରହଣ କରାଯାଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ସାମିଲ କରାଯାଇଥିଲା । ୨୦୧୯ ଡିସେମ୍ବର ୮ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧାର ବରୁଣେଇ ପାହାଡ଼ ଅଂଚଳରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ଶୁଭ ଦେଇଥିଲେ ।