କନକ ବ୍ୟୁରୋ: ଜିଏସଟି ଠକ ଘରେ ଜିଏସଟି ଅଫିସ! ଏକଥା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଏଭଳି ଘଟଣା ଦେଖିବାକୁ ମିଳିଛି ସ୍ମାର୍ଟ ସିଟି ରାଉରକେଲାରେ । ଖାଲି ଅଫିସ ହେଇନି ବରଂ ଜିଏସଟି ଡର ଦେଖାଇ ବହୁ ମୂଲ୍ୟବାନ ସରକାରୀ ଜମି ମଧ୍ୟ ମାଡି ବସିଛନ୍ତି ଜିଏସଟି ଠକ ଜଣକ । ତେବେ ଜିଏସଟି ଠକ ଘରେ ଜିଏସଟି ଅଫିସ ଚାଲୁଥିଲେ ମଧ୍ୟ କେମିତି ଜିଏସଟି ଠକର କାରନାମା ଜାଣି ପାରୁନାହାନ୍ତି ଜିଏସଟି ଅଧିକାରୀ?

Advertisment
  • ଜିଏସଟି ଠକ ଘରେ ଜିଏସଟି ଅଫିସ!
  • ଭଡ଼ା ଦେଇଥିବା ଘର ମାଲିକ ମାଡ଼ି ବସିଛନ୍ତି ସରକାରୀ ଜମି!

ନିଜସ୍ୱ ଘର ନଥିବାରୁ ରାଉରକେଲାରେ ଭଡ଼ାରେ ଚାଲିଛି କେନ୍ଦ୍ର ସରକାରଙ୍କର ଜିଏସଟି ଭବନ । ସିଭିଲ ଟାଉନସିପରେ ରହିଛି ଜିଏସଟି କମିଶନରଙ୍କ କାର୍ଯ୍ୟାଳୟ ଏବଂ ଉତ୍ପାଦକ ଶୁଳ୍କ ରାଉରକେଲା କମିଶନରେଟ ଅଫିସ । ତିନି ମହଲା ବିଶିଷ୍ଟ ଏହି ଘରଟି ରାଉରକେଲାର ପ୍ରତିଷ୍ଠିତ ବ୍ୟବସାୟୀ ବଂଶଲ ପରିବାରର। ଖଣିଠୁ ଗାଡି ସୋରୁମ, ହସ୍ପିଟାଲ ଭଳି ଅନେକ ପ୍ରତିଷ୍ଠାନ ରହିଛି ଏହି ପରିବାର ସଦସ୍ୟଙ୍କ ନାଁରେ । ଜିଏସଟି ଅଫିସ ସାମ୍ନାରେ ଥିବା ବହୁ ମୂଲ୍ୟବାନ ସରକାରୀ ଜମିକୁ ବଂଶଲ ପରିବାର ମାଡ଼ି ବସିଥିବା ଅଭିଯୋଗ ହୋଇଛି।

ବଂଶଲ ପରିବାରର କିଛି ବ୍ୟବସାୟିକ ପ୍ରତିଷ୍ଠାନ ଜିଏସଟି ଫାଙ୍କୁଥିବା ଅଭିଯୋଗ ରହିଛି। ଗତ ୧ ତାରିଖରେ ପାନପୋଷ ଛକରେ ଥିବା ବଂଶଲ ପରିବାରର ହର୍ଷିଲ ହୋଣ୍ଡା ସୋରୁମରେ ଚଢ଼ାଉ କରିଥିଲା ଜିଏସଟିର ଗୁଇନ୍ଦା ବିଭାଗ। ତେବେ କନକ ନ୍ୟୁଜର ଅନୁସନ୍ଧାନରୁ ଜଣାପଡିଛି, ଗତ ଆର୍ଥିକ ବର୍ଷରେ ହର୍ଷିଲ ହୋଣ୍ଡା ଜିଏସଟି ବାବଦକୁ ପ୍ରାୟ ୭୦ ଲକ୍ଷ ଟଙ୍କା ପୈଠ କରିନାହିଁ। ତେଣୁ ଜିଏସଟି ଗୁଇନ୍ଦା ବିଭାଗ ଚଢ଼ାଉ କରି କମ୍ପାନୀର କିଣାବିକା ରେଜିଷ୍ଟର, ଷ୍ଟକ ରେଜିଷ୍ଟର ଓ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ । ରେଡ ବେଳେ କମ୍ପାନୀ କର୍ତ୍ତୃପକ୍ଷ ଜିଏସଟି ବାବଦରେ ତୁରନ୍ତ ୨୦ ଲକ୍ଷ ଟଙ୍କା ଦେଇଥିଲେ। ଆଉ ୫୦ ଲକ୍ଷ ପରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏ ହିସାବ ତ କେବଳ ଗୋଟିଏ କମ୍ପାନୀର ।ଏଭଳି ଆହୁରି ୭ରୁ ୮ କମ୍ପାନୀ ରହିଛି ବଂଶଲ ପରିବାର ନାଁରେ । ଅନ୍ୟ କମ୍ପାନୀରେ କେତେ ଟଙ୍କାର ଜିଏସଟି ଠକେଇ ହେଉଥିବା ତାକୁ ନେଇ ପ୍ରଶ୍ନ ଉଠିଛି?