କନକ ବ୍ୟୁରୋ: ଓଟିଇଟିର ପେପର-୧ ଓ ପେପର-୨ର ପରୀକ୍ଷା ସ୍ଥଗିତ ରଖାଯାଇଛି । କୁହାଯାଉଛି, ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ଏହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଥିଲା । ଏହାପରେ ରାତିଅଧିଆ ଓଟିଇଟି ପରୀକ୍ଷା ସ୍ଥଗିତ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଏ ନେଇ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖା ଯାଇନାହିଁ । 

୧୯ ତାରିଖ ରାତି ଅଧିଆ ବୋର୍ଡ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ହେଲେ, ଏନେଇ ପରୀକ୍ଷାର୍ଥୀମାନେ କିଛି ଜାଣିପାରିନଥିଲେ। ସକାଳୁ ସକାଳୁ ଦୂରଦୂରାନ୍ତରୁ ପରୀକ୍ଷା ଦେବାକୁ କେନ୍ଦ୍ର ଆଗରେ ପହଁଚିଥିଲେ । କିନ୍ତୁ ଫାଟକ ସମ୍ମୁଖରେ ପରୀକ୍ଷା ସ୍ଥଗିତ ନେଇ ନୋଟିସ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଫଳରେ ରାଜ୍ୟର ୭୫ ହଜାର ଶିକ୍ଷକ ନିରାଶ ହୋଇ ଫେରିଛନ୍ତି । ତେବେ କେଉଁ କାରଣରୁ ପରୀକ୍ଷାକୁ ସ୍ଥଗିତ ରଖାଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ବୋର୍ଡ କର୍ତ୍ତୃପକ୍ଷ । ଅନ୍ୟପଟେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ । 

ତେବେ ହଠାତ ଓଟିଇଟି ପରୀକ୍ଷା ସ୍ଥଗିତ  ହେବା ପରେ ପରୀକ୍ଷାପ୍ରଶ୍ନପତ୍ର ଲିକ ଅଭିଯୋଗ ନେଇ ହେଉଥିବା ଚର୍ଚ୍ଚାକୁ ବଳ ମିଳିଛି । କୁହାଯାଉଛି ସୋସିଆଲ ମିଡିଆରେ ପରୀକ୍ଷା ପ୍ରଶ୍ନପତ୍ର ଲିକ ନେଇ ଅଭିଯୋଗ ଆସିବା ପରେ ଏଭଲି ନିଷ୍ପତ୍ତି ନେଇଛନ୍ତି ସରକାର ।  ଆଜି ରବିବାର ଥିବା ହେତୁ ବୋର୍ଡ଼ ର କୌଣସି ଅଧିକାରୀ ଅଫିସ ଆସି ନଥିଲେ। ତେଣୁ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ବୋର୍ଡ ର ମୁଖ୍ୟ ଫାଟକ ରେ ଚାବି ପକାଯାଇଛି । ପରୀକ୍ଷାର୍ଥୀ ମାନେ ନିରାଶ ହୋଇ ଫେରିଛନ୍ତି । 

ଓଟିଇଟି ପରୀକ୍ଷା ରାଜ୍ୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଆବଶ୍ୟକ ଯୋଗ୍ୟତା ହାସଲ ନିମନ୍ତେ ସୁଯୋଗ ଦେଇଥାଏ । ପ୍ରଥମରୁ ପଂଚମ ଶ୍ରେଣୀ ପାଠ ପଢ଼ାଉଥିବା ଶିକ୍ଷକମାନଙ୍କ ପାଇଁ ପେପର-୧ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ପାଇଁ ପେପର-୨ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଥିଲା । ପ୍ରଶ୍ନ ଉଠୁଛି
-ଓଟିଇଟି ପ୍ରଶ୍ନପତ୍ର ଲିକ୍ ହୋଇଛି କି ?
- କେବେ ସ୍ପଷ୍ଟୀକରଣ ଦେବ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ?
-ପୁଣି କେବେ ହେବ ପରୀକ୍ଷା ତାରିଖ ଘୋଷଣା ?
-ତ୍ରୁଟି ଧରାପଡ଼ିଲେ ହେବ କି କାର୍ଯ୍ୟାନୁଷ୍ଠାନ ?