କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ଅନେକ ଆମଦାନୀ ନେତା ବଡ ଆଶାରେ ବିଜେଡିକୁ ଲମ୍ଫ ମାରିଲେ । କାହାକୁ ଟିକେଟ ମିଳିଲା, ଆଉ କାହାକୁ ପଦର ଆଶା ଦେଖାଇ ଥଇଥାନ କରିବାକୁ ପ୍ରତିଶ୍ରୃତି ଦିଆଗଲା । ହେଲେ ନିର୍ବାଚନ ପରେ ସବୁକିଛି ବଦଳିଗଲା । ଆଶାୟୀ ନିରାଶ ହେଲେ । ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇଟି ଗୋଷ୍ଠୀ ଦେଖିବାକୁ ମିଳିଲା । କେମିତି ସଙ୍ଗଠନକୁ ସୁଦୃଢ କରିବେ ବିଜେଡି ସୁପ୍ରିମୋ ? ଦଳୀୟ ଫାଟକୁ କେମିତି ଯୋଡିବେ?  କାରଣ ଆଗକୁ ଆସୁଛି ବିଜେଡିର ପଦଯାତ୍ରା । ଅକ୍ଟୋବର ୨ରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଚାଲିବ ବିଜେଡିର ମାରାଥନ କାର୍ୟ୍ୟକ୍ରମ । ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ରାଧାରାଣୀ ପଣ୍ଡା, ଇରାନୀ ରାୟ, ଭୃଗୁ ବକ୍ସିପାତ୍ର, ରମା ବଳିଆରସିଂଙ୍କ ଭଳି ନେତା କିଛିଦିନ ପୂର୍ବରୁ  ନବୀନଙ୍କୁ ଭେଟି ଆଗାମୀ ରଣନୀତି ଉପରେ ଆଲୋଚନା କରିଛନ୍ତି ।  ଏପରିକି ନବୀନ ପଟ୍ଟନାୟକ ତାଙ୍କୁ ଦଳରେ ଗୁରୁତ୍ବ ମିଳିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।

Advertisment

ଖାଲି ସେତିକି ନୁହେଁ, ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି ନବୀନ ପଟ୍ଟନାୟକ । ଦେବଗଡ, ଜଗତସିଂହପୁର, ଗଂଜାମ, ପୁରୀ, ମୟୁରଭଂଜ, ଢେଙ୍କାନାଳ ଭଳି ନିର୍ବାଚନମଣ୍ଡଳୀର ନେତାଙ୍କୁ ଡାକି ୱାନ ଟୁ ୱାନ ଆଲୋଚନା କରିଛନ୍ତି । ମତାନ୍ତର ଓ ମନାନ୍ତର ଭୁଲି ସଙ୍ଗଠନକୁ ଆଗକୁ ବଢାଇବା ପାଇଁ ସୁପ୍ରିମୋ ଗୁରୁମନ୍ତ୍ର ଦେଉଛନ୍ତି । ତେବେ ଜଳ ଜଳ ହୋଇ ଦିଶୁଥିବା ଫାଟକୁ ଭୁବନେଶ୍ୱରରେ ରହି ନବୀନ କେମିତି ଯୋଡିବେ ସେ ନେଇ ବଡ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । 

ବିଜେଡିର ରାଜ୍ୟସ୍ତରୀୟ କମିଟି ଭାଙ୍ଗିବାର ଅଢେଇ ମାସ ବିତିଲାଣି । ହେଲେ ଏ ଯାଏଁ କମିଟି ଘୋଷଣା କରିପାରୁନାହାନ୍ତି ବିଜେଡି ସୁପ୍ରିମୋ । କାରଣ ଅନେକ ଆଶାୟୀ ପଦବୀ ଅପେକ୍ଷାରେ ଅଛନ୍ତି । ତେଣୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି ।