କନକ ବ୍ୟୁରୋ : କୋଭିଡ ସମୟରୁ ସମଲେଇ ମନ୍ଦିରରେ ବନ୍ଦ ଥିବା ଭୋଗ ପୁଣି ଥରେ ଆରମ୍ଭ ହେବ । ୪ ବର୍ଷ ଧରି ବନ୍ଦ ଥିବା ଭୋଗ ଆରମ୍ଭ ପାଇଁ ପ୍ରସ୍ତୁତି ସରିଛି। ଚଳିତ ମାସରେ ହିଁ ଭୋଗ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସମଲେଇ ପ୍ରକଳ୍ପ ଆରମ୍ଭ ହେବା ପରେ ଭୋଗ ମଣ୍ଡପ ଭଙ୍ଗାଯିବା ପରେ ସ୍ଥଗିତ ରହିଥିଲା ଭୋଗ ବ୍ୟବସ୍ଥା । ଫଳରେ ଦୂରଦୁରାନ୍ତରୁ ଆସୁଥିବା ଭକ୍ତ ଭୋଗରୁ ବଂଚିତ ହେଉଥିଲେ।
ପୂର୍ବରୁ ଭୋଗ ଆକାରରେ ଅରୁଆ ଅନ୍ନ, ଖିରି,ଘାଣ୍ଟ, ଡାଲି ଓ ଆମ୍ବିଳ ଦେଉଥିଲେ ଟ୍ରଷ୍ଟ ବୋର୍ଡ ପ୍ରଶାସନ। ଖୁସି ମନରେ ଭକ୍ତମାନେ ଖାଇବା ସହ ଆନନ୍ଦରେ ଘରକୁ ଯାଉଥିଲେ। ଏଥି ପାଇଁ କିଛି କର୍ମଚାରୀମାନେ ମଧ୍ୟ କାମରେ ନିୟୋଜିତ ଥିଲେ । ପୁଣି ଭୋଗ ବ୍ୟବସ୍ଥା ଆରମ୍ଭ ହେଲେ ଉପକୃତ ହେବେ କର୍ମଚାରୀ ।
ନୂଆ ଭୋଗ ମଣ୍ଡପ ତିଆରି ସରିଥିବା ବେଳେ ଏନେଇ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ । କାମ ସରିବା ପରେ ତୁରନ୍ତ ଭୋଗ ପାଇବେ ଶ୍ରଦ୍ଧାଳୁ... ଏହି ସୂଚନା ଆସିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଖୁସିର ଲହରୀ ଖେଳିଛି । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଏଥର ଖୁସି ମନରେ ମାଆଙ୍କ ମନ୍ଦିରରୁ ଭୋଗ ଖାଇ ଘରକୁ ଯିବେ ।