କନକ ବ୍ୟୁରୋ: ପାକିସ୍ତାନ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ପୁରୀ ଲିଙ୍କ୍ । ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଲିଙ୍କ୍‌ ନେଇ ତନାଘନା ଆରମ୍ଭ କରିଛି ପୁରୀ ପୁଲିସ । ପାକିସ୍ତାନ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ଗିରଫ ପରେ ତଦନ୍ତ ପାଇଁ ପୁରୀ ଆସିପାରେ ଏନଆଇଏ । ଜାତୀୟ ସୁରକ୍ଷା ସଂପର୍କିତ ମାମଲା ହୋଇଥିବାରୁ ପୁରୀ ଆସି ଏନଆଇଏ ଖୋଳତାଡ କରିପାରେ । କାରଣ ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ଆସିଥିଲେ । ପୁରୀର ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ । ପୁରୀ ଆସିଥିବା ସମୟରେ ଜ୍ୟୋତି କେଉଁଠିକୁ ଯାଇଥିଲେ, କାହା କାହକୁ ଭେଟିଥିଲେ? ସେ ସଂପର୍କରେ ତଦନ୍ତ କରିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା। ଏହାଛଡା କେବଳ ବୁଲିବାକୁ ପୁରୀ ସେ ଆସିଥିଲେ ନା ପୁରୀ ଆସିବା ପଛରେ ତାଙ୍କର ଭିନ୍ନ ଉଦ୍ଦେଶ୍ୟ ଥିଲା?  ପାକ୍‌ ହ୍ୟାଣ୍ଡଲରଙ୍କ ଟାସ୍କ ପାଇ ପୁରୀ ଆସିଥିଲେ କି ଜ୍ୟୋତି? କାରଣ ପୁରୀ ହିନ୍ଦୁ ଆସ୍ଥା ଓ ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

Advertisment

ତେଣୁ ପୁରୀକୁ ଆତଙ୍କବାଦୀ ଟାର୍ଗେଟ କରିବା ଆଶଙ୍କା ରହିଛି । ଜ୍ୟୋତି ପୁରୀ ଆସିଥିବା ବେଳେ ପ୍ରିୟଙ୍କା ସେନାପତିଙ୍କ ସହ ବନ୍ଧୁତା କରିଥିଲେ । ତେଣୁ ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ମଧ୍ୟ ଆଶଙ୍କା ବଢ଼ିଛି । ଦୁଇଦିନ ହେଲା ପ୍ରିୟଙ୍କା ଓ ତାଙ୍କ ପରିବାରକୁ ପୁଲିସ ପଚରାଉଚରା କରୁଛି । ପୁରୀ ଏସ୍‌ପି କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି । ଜ୍ୟୋତିଙ୍କୁ ଜେରା କରାଯାଉଛି । ସେପଟେ ଜ୍ୟୋତି ମାଲହୋତ୍ରାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି ହରିୟାଣାର ହିସାର ପୁଲିସ । ହିସାର ଏସ୍‌ପି ଶଶାଙ୍କ କୁମାର ଜ୍ୟୋତିଙ୍କୁ ନେଇ କରିଛନ୍ତି ବଡ଼ ଖୁଲାସା। ପାକିସ୍ତାନର ସବୁ ବଡ଼ବଡ଼ିଆଙ୍କ ସହ ଜ୍ୟୋତିଙ୍କର ଘନିଷ୍ଠ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି ।