କନକ ବ୍ୟୁରୋ : ଯୋଜନା ଓ ସଂଯୋଜନା ବିଭାଗର ଗୋଟିଏ ଚିଠି ପ୍ରଶାସନିକ ସ୍ତରରେ ବଡ ହଲଚଲ ସୃଷ୍ଟି କରିଛି । କଥାଟି ହେଲା ବାବୁଙ୍କ ପ୍ରଦର୍ଶନ ଉପରେ କଡ଼ା ନଜର ରଖିବେ ସରକାର । କିଏ କାମ କରୁଛି, କିଏ ଟହଲ ମାରୁଛି । ଏହାର ମାସିକିଆ ହିସାବ ରଖିବେ ସରକାର ।

Advertisment

ସରକାରୀ ବାବୁଙ୍କ ଉପରେ କଡ଼ା ନଜର ରଖିବେ ସରକାର । କିଏ ଭଲ କାମ କରୁଛି, କିଏ କାର୍ଯ୍ୟରେ ଅବହେଳ କରି ଠକୁଛି, ତାହାର ମୂଲ୍ୟାୟନ କରିବେ ବିଭାଗର ଉପରିସ୍ଥ ଅଧିକାରୀ । କାରଣ ବାବୁଙ୍କର ପ୍ରଦର୍ଶନ ରିପୋର୍ଟ ସବୁ ମାସରେ ପ୍ରସ୍ତୁତ କରାଯିବ । ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଗତ ୨୮ ତାରିଖରେ ସବୁ ବିଭାଗର ସଚିବ ଓ କମିଶନରଙ୍କୁ ଚିଠି ଲେଖାଯାଇଛି ।

ଚିଠିରେ କୁହାଯାଇଛି, ପ୍ରତିମାସରେ ଶ୍ରେଷ୍ଠ କର୍ମଚାରୀଙ୍କୁ ଦିଆଯିବ ପୁରସ୍କାର । ବିଭିନ୍ନ ମାନଦଣ୍ଡକୁ ପୂରଣ କରୁଥିବା କର୍ମଚାରୀଙ୍କୁ ଚୟନ କରାଯିବ । 
୧- ବାୟୋମେଟ୍ରିକ ଉପସ୍ଥାନ ଓ ସମୟାନୁବର୍ତ୍ତିତା 
୨- ଓସ୍ୱାସ ଜରିଆରେ ଅଧିକ ଫାଇଲ ପଠାଇ ପାରୁଥିବ 
୩- ଭଲ ଡ୍ରାଫ୍ଟିଂ କରିପାରୁଥିବେ 
୪- ଓଡ଼ିଆ ଡ୍ରାଫ୍ଟିଂରେ ଦଖଲ ଥିବ 

ଏ ସବୁମାନଦଣ୍ଡ ପୂରଣ କରୁଥିବା ଅଧିକାରୀଙ୍କୁ ପ୍ରତିମାସରେ ପୁରସ୍କୃତ କରି ଉତ୍ସାହିତ କରାଯିବ ।

ସରକାରଙ୍କ ନୂଆ ନିର୍ଦ୍ଦେଶନାମାକୁ ନେଇ ଛାନିଆ ହେଲେଣି ଅଧିକାରୀ । ବିଶେଷକରି ନୂଆ ନିର୍ଦ୍ଦେଶନାମାକୁ ନେଇ ଲୋକସେବା ଭବନରେ କୋକୁଆ ଭୟ । କାରଣ ଯଦି ସେମାନେ କାର୍ଯ୍ୟରେ ଅବହେଳା କରୁଥିବା ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ ଅନ୍ୟ କିଛି କାମ ଦେଇପାରନ୍ତି ସରକାର । ତଥ୍ୟ ଅନୁସାରେ କେତେଜଣ କର୍ମଚାରୀ ସଂଖ୍ୟାଧିକ ଫାଇଲ ପ୍ରସ୍ତୁତ କରୁଥିବାବେଳେ ଆଉ କେତେଜଣ ଗୋଟିଏ କି ଦୁଇଟିରେ ଅଟକି ଯାଉଛନ୍ତି । ଯାହାଫଳରେ ସବୁ ଫାଇଲ କାମ ଠିକ୍ ସମୟରେ ସରୁ ନାହିଁ । ସଚିବଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହେଉଛି । ତେଣୁ ଫାଇଲ୍‌ ଗୁଡ଼ିକ କେମିତି ଶୀଘ୍ର ଗୋଟିଏ ଟେବୁଲର ଅନ୍ୟ ଟେବୁଲକୁ ଯାଇପାରିବ ତା ଉପରେ ଗୁରୁତ୍ୱ ଦିଆଯାଇଛି ।

ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏସଂପର୍କରେ ନିଷ୍ପତ୍ତି ନିଆଯାଇଛି । ଏନେଇ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ସବୁ ବିଭାଗକୁ ଅବଗତ କରାଯାଇଛି ।