କନକ ବ୍ୟୁରୋ : ଯାଜପୁରରେ ହଇଜା ବ୍ୟାପିବାକୁ ଏହା ଭିତରେ ୧୦ ଦିନ ବିତିଲାଣି । ତଥାପି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ନୂଆ ନୂଆ ରୋଗୀ ହସ୍ପିଟାଲକୁ ଆସୁଛନ୍ତି । ପଡୋଶୀ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପୁଛି । ଏକବିଂଶ ଶତାବ୍ଦିରେ ଏଭଳି ସ୍ଥିତିକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି । 

Advertisment

ଯାଜପୁର ଜିଲ୍ଲାରେ ବ୍ୟାପିଥିବା ଝାଡାବାନ୍ତି ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି । ପୂର୍ବ ଅପେକ୍ଷା ହସ୍ପିଟାଲରେ ଝାଡାବାନ୍ତି ରୋଗୀ ସଂଖ୍ୟା କମିଛି । ହେଲେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରିନି ଡାଇରିଆ । ଆଜି ଯାଜପୁରର ବିଭିନ୍ନ ହସ୍ପିଟାଲରେ ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ପରେ ବରଗଡ଼ରେ ବ୍ୟାପିଛି ଝାଡାବାନ୍ତି । ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଭାଲୁତାଲ ଗାଁର ୨୨ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି ।

କଟକ ଜିଲ୍ଳାର ଟାଙ୍ଗି-ଚୌଦ୍ବାର, ନରସିଂହପୁର, ବାଙ୍କି ପରେ ଏବେ ମାହାଙ୍ଗା ଅଂଚଳରେ ମାଡି ଚାଲିଛି । ମାହାଙ୍ଗା ବ୍ଲକର ବିଭିନ୍ନ ଗାଁରେ ଅମଉଦା କ୍ଷେତ୍ରପାଳ ଗାଁରେ ଡାଇରିଆରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରୋଜଗାରିଆ ପୁଅକୁ ହରାଇବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ପରିମଳ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚି , ବିଭିନ୍ନ ପାଣି ଉତ୍ସକୁ ବିଶୋଧନ କରିଛନ୍ତି । ଜଳ ନମୂନା ସଂଗ୍ରହ କରିଛନ୍ତି ।

କେନ୍ଦୁଝର ଆନନ୍ଦପୁର ପରେ ଏବେ ଚମ୍ପୁଆ ଉପଖଣ୍ଡରେ ମାଡୁଛି । ଚମ୍ପୁଆ ଡାକ୍ତରଖାନାର ବଡବିଲ ବାସୁଦେବପୁର ଓ ଘରୋଇ ଡାକ୍ତରଖାନାରେ ୨୦ଜଣ ଚିକିତ୍ସିତ ହେଉଛନ୍ତି । ଝାଡାବାନ୍ତିକୁ ନିୟନ୍ତ୍ରଣ ଲାଗି ଆଶାକର୍ମୀ ଗାଁରେ ଓଆରଏସ ବଣ୍ଟନ କରୁଛନ୍ତି । ବ୍ଲିଚିଂ ପାଉଡର ସିଞ୍ଚନ କରାଯାଉଛି । ଝାଡାବାନ୍ତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବାବେଳେ ଏତେ ଲୋକଙ୍କ ଜୀବନ ଯିବାକୁ ନେଇ ତେଜିଛି ରାଜନୀତି । ରାଜ୍ୟ ସରକାରଙ୍କୁ ବିରୋଧୀ କଟାକ୍ଷ କରିଛନ୍ତି । ଜବାବରେ ବିଜେଡି ସମୟର କଥା ମନେ ପକାଇ ଦେଇଛି ବିଜେପି । ରାଜ୍ୟର ପ୍ରାୟ ୧୦ ଜିଲ୍ଲାରୁ ଡାଇରିଆ ରୋଗୀ ଚିହ୍ନଟ ହେବା ପରେ ଚାରିଆଡେ ଡର ବଢ଼ିଛି । ବିଶେଷକରି ଡାଇରିଆରେ ୨୦ରୁ ଅଧିକ ଲୋକଙ୍କ ଜୀବନ ଯିବା ଲୋକଙ୍କ ଭିତରେ ଭୟ ସୃଷ୍ଟି କରିଛି ।