କନକ ବ୍ୟୁରୋ: ନିୟମ ଅନୁସାରେ ପ୍ରତି ୧୦ ବର୍ଷରେ ଥରେ ପଞ୍ଚାୟତ ପୁନର୍ଗଠନ ହେବାକଥା। ଶେଷଥର ପାଇଁ ୨୦୧୭ରେ ସୀମା ନିର୍ଦ୍ଧାରଣ ହୋଇଥିବାରୁ ୨୦୨୭ରେ ପଡୁଛି ପାଳି। ଆଉ ଏହା ପୂର୍ବରୁ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ବିଜେପି ସରକାର। ଏନେଇ ଆଜି ସଂକେତ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି…
- ନୂଆ ପଞ୍ଚାୟତ ପାଇଁ ପ୍ରୟାସ ଆରମ୍ଭ ହୋଇଛି
- ଏପ୍ରକାର ସମୟ ମଧ୍ୟ ବର୍ତ୍ତମାନ ଆସିଛି
- ଅଞ୍ଚଳର ହିତକୁ ଦେଖି ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ
ବର୍ତ୍ତମାନ ରାଜ୍ୟର ମୋଟ୍ ୩୧୪ଟି ବ୍ଲକରେ ୬ ହଜାର ୭୯୪ ପଞ୍ଚାୟତ ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ହେଲା ଗତ ୪୦ ବର୍ଷ ଧରି ଆଉ ନୂଆ ବ୍ଲକ ସୃଷ୍ଟି ହୋଇନାହିଁ। ଏଥିପାଇଁ ବାରମ୍ବାର ଦାବି ଉଠିଥିଲେ ସୁଦ୍ଧା ପୂର୍ବ ସରକାରଗୁଡ଼ିକ କୌଣସି ପଦକ୍ଷେପ ନେଇନଥିଲେ। ବର୍ତ୍ତମାନର ସରକାର ଉପଲବ୍ଧି କରିଛନ୍ତି ଯେ, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବ୍ଲକ ବିଭାଜନର ଆବଶ୍ୟକତା ରହିଛି। କାରଣ…
- ଯାଜପୁର ବଡ଼ଚଣା ବ୍ଲକ୍ରେ ରହିଛି ସର୍ବାଧିକ ୪୩ଟି ପଞ୍ଚାୟତ
- ଭୋଗରାଇ, ବୋରିଗୁମ୍ମା, ଦଶମନ୍ତପୁର ଓ ମୋହନାରେ ୩୯ ପଞ୍ଚାୟତ
- ଝାରସୁଗୁଡ଼ାର ଲଖନପୁରରେ ରହିଛି ୩୩ଟି ପଞ୍ଚାୟତ
ତେଣୁ ବ୍ଲକ ବିଭାଜନ ପାଇଁ କମିସନ ଗଠନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋହନ ସରକାର। କମିସନ ହିଁ ନୂଆ ବ୍ଲକର ମାନଦଣ୍ଡ ତିଆରି କରିବେ। ମନ୍ତ୍ରୀ କହିଛନ୍ତି ଏ ସଂପର୍କିତ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। ଏନେଇ ଥରେ ଆଲୋଚନା ସରିଥିବାବେଳେ ବିଧାନସଭାର ବଜେଟ୍ ଅଧିବେଶନ ପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ହେଲେ ବ୍ୟାପକ ଜନଆନ୍ଦୋଳନର ଚେତାବନୀ ଦେଇଛି ବିଜେଡି।
ସୁଶାସନ ଓ କ୍ଷମତା ବିକେନ୍ଦ୍ରୀକରଣ ପାଇଁ ତ୍ରିସ୍ତ୍ରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ଲକ ଓ ପଞ୍ଚାୟତର ପରିକଳ୍ପନା କରାଯାଇଥିଲା। କିନ୍ତୁ ବଡ଼ମ୍ବନାର କଥା ଶେଷଥର ପାଇଁ ରାଜ୍ୟରେ ୧୯୮୪ ମସିହାରେ ବ୍ଲକ ପୁନର୍ଗଠନ କରି ୩୦୪ରୁ ୩୧୪କୁ ବୃଦ୍ଧି କରାଯାଇଥିଲା। ଆଉ ୨୦୧୭ରେ ବିଜେଡି ସରକାର ୫୦୦ ପଞ୍ଚାୟତ ବୃଦ୍ଧି କରିଥିଲେ। ଏବେ ସମୟର ଆବଶ୍ୟକତା ଦୃଷ୍ଟିରୁ ଉଭୟ ବ୍ଲକ ଓ ପଞ୍ଚାୟତ ସଂଖ୍ୟା ବୃଦ୍ଧି କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର।