kidney patients Photograph: (KanakNews)
କନକ ବ୍ୟୁରୋ: ରାଜ୍ୟରେ ଭୟଙ୍କର ଭାବେ ବଢ଼ି ଚାଲିଛି କିଡନୀ ରୋଗୀଙ୍କ ସଂଖ୍ୟା। ମହାମାରୀ ପରି ମାଡି ଚାଲିଛି। ଚାରିଆଡୁ ଆସିବାରେ ଲାଗିଛି ସାଂଘାତିକ ଚିତ୍ର। ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ବିଷାକ୍ତ ପାଣି ପିଇ କିଡନୀ ରୋଗରେ ପଡୁଛନ୍ତି ବହୁ ଲୋକ । ତାସାଂଗକୁ ଡାକ୍ତରଖାନାରେ ଚିକିତ୍ସା ସୁବିଧାର ଅଭାବ ଚିନ୍ତା ବଢ଼ାଇଛି । ଉପକୂଳରୁ ଉପାନ୍ତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଏମିତି ଚିନ୍ତାଜନକ ଖବର। ଅଧିକାଂଶ ଜିଲ୍ଲାରେ ବଢ଼ି ଚାଲିଛି କିଡନୀ ରୋଗୀଙ୍କ ସଂଖ୍ୟା। ଅକାଳରେ ଚାଲି ଯାଉଛି ଜୀବନ। ସରକାରୀ ତଥ୍ୟ ଅନୁସାରେ ଗତ ତିନି ବର୍ଷରେ ରାଜ୍ୟରେ ୧୯ ହଜାର ୮୮୮ କିଡ୍ନି ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ହଜାର ୭ଶହ ଜଣ କିଡ୍ନି ରୋଗୀଙ୍କ ମୃତ୍ୟୁ ହୋଇଛି । ବେସରକାରୀ ଭାବେ ଏହି ସଂଖ୍ୟା ଢ଼େର ଅଧିକ । କିଡନୀ ରୋଗୀ ସଂଖ୍ୟା ବଢ଼ିବା ପଛର ପ୍ରମୁଖ କାରଣ ବିଷାକ୍ତ, ଲୌହମିଶା ପାଣି ବୋଲି କୁହାଯାଉଛି। ଗ୍ରାଉଣ୍ଡଜିରୋରେ ତଥ୍ୟ ସଂଗ୍ରହ ବେଳେ ଦେଖିବାକୁ ମିଳିଛି ଲୋକେ କେମିତି ନଳକୂପରୁ ବାହାରୁଥିବା ଲୌହ ମିଶା ପାଣି ପିଉଛନ୍ତି ।
ଅଧିକ ପଢନ୍ତୁ: ଚର୍ମରେ ଲଗାତାର କୁଣ୍ଡେଇ ହେବା କିଡନୀ ରୋଗର ସଙ୍କେତ ହୋଇପାରେ, ତୁରନ୍ତ ସତର୍କ ହୁଅନ୍ତୁ
କିଡନୀ ରୋଗୀ ସଂଖ୍ୟା ବଢ଼ୁଥିବାବେଳେ ଦାଉ ସାଧିଛି ଚିକିତ୍ସା ସୁବିଧା। ଡାକ୍ତରଖାନାରେ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମିର ଅଭାବ ଲାଗି ରହିଛି। ଆବଶ୍ୟକତା ଅନୁସାରେ ଯନ୍ତ୍ରପାତି, ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ନଥିବାରୁ ସବୁଠି ହନ୍ତସନ୍ତ ହେଉଛନ୍ତି ରୋଗୀ । ବିଭିନ୍ନ ପରୀକ୍ଷା ଠାରୁ ଆରମ୍ଭ କରି ଡାଇଲିସିସ୍ ପର୍ଯ୍ୟନ୍ତ ରୋଗୀଙ୍କୁ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ଯାହାଫଳରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଉଛି । ଅକାଳରେ ଜୀବନ ଯାଉଛି। ଏନେଇ ଆମେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆକର୍ଷଣ କରିବା ପରେ ସେ କହିଛନ୍ତି, କିଡ୍ନି ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ କାର୍ଯ୍ୟ କରାଯାଉଛି । ତେବେ କିଡନୀ ରୋଗୀ ନିଜ ଖାଦ୍ୟ ଶୈଳୀରେ ସନ୍ତୁଳନ ରଖିବା ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ବେଶ୍ ଗୁରୁତ୍ବପୂର୍ଣ୍ଣ ।
Follow Us