କନକବ୍ୟୁରୋ:ଆମେରିକାରେ ବେଆଇନ ଭାବେ ପ୍ରବେଶ କରିବା ପାଇଁ ପ୍ରବାସୀ ଭାରତୀୟମାନେ ଅତ୍ୟନ୍ତ ବିପଜ୍ଜନକ ଯାତ୍ରା କରୁଛନ୍ତି ଏବଂ ସୀମା ଅତିକ୍ରମ ବେଳେ ଅନେକଙ୍କ ମୃତ୍ୟୁ ହେଉଛି । ଏହାସତ୍ତ୍ୱେ ଆମେରିକାରେ ପ୍ରବେଶ କରିବା ପାଇଁ ଭାରତୀୟଙ୍କ ସଂଘର୍ଷ ବଢ଼ିଚାଲିବା ଚିନ୍ତାର କାରଣ ହୋଇଛି । ଅକ୍ଟୋବର ୧, ୨୦୨୩ରୁ ସେପ୍ଟେମ୍ବର ୩୦, ୨୦୨୪ ମଧ୍ୟରେ ମେକ୍ସିକୋ ଏବଂ କାନାଡା ଦେଇ  ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨୯ ଲକ୍ଷ ବେଆଇନ ପ୍ରବାସୀ ଧରାପଡ଼ିଥିଲେ ।

Advertisment

ସେମାନଙ୍କ ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ୯୦,୪୧୫ ବୋଲି ଆମେରିକାର ସୀମା ଶୁଳ୍କ ଓ ସୀମା ସୁରକ୍ଷା ବିଭାଗ କହିଛି। ଧରାପଡ଼ିଥିବା ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଗୁଜରାଟରୁ ଆସିଥିବା ବେଆଇନ ପ୍ରବାସୀ ବୋଲି ଏହି ପରିସ୍ଥିତି ଉପରେ ନଜର ରଖିଥିବା ଭାରତୀୟ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି । ପ୍ରତି ଘଣ୍ଟାରେ ୧୦ ଜଣ ଭାରତୀୟଙ୍କୁ ଗିରଫ କରାଯାଉଥିବା ସୂଚନା ମିଳିଛି ।

ସେହିପରି ଉତ୍ତର କାନାଡା-ଆମେରିକା ସୀମାରେ ୪୩,୭୬୪ ଜଣଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଉତ୍ତର କାନାଡା ସୀମାରେ ସର୍ବାଧିକ ସଂଖ୍ୟକ ଭାରତୀୟ ଗିରଫ ହୋଇଛନ୍ତି । ୨୦୨୩ ଆର୍ଥିକ ବର୍ଷରେ ଗିରଫ ହୋଇଥିବା ବେଆଇନ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ୯୬,୯୧୭ ଥିଲା । 

୨୦୨୪ରେ ଆମେରିକା-ମେକ୍ସିକୋ ସୀମାରେ ୨୫ ହଜାର ୬୧୬ ଜଣ ଭାରତୀୟ ଧରାପଡ଼ିଥିଲେ । ଇମିଗ୍ରେସନ ନେଟୱର୍କର ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ବର୍ଷ ଧରି ଆମେରିକାର ଏଜେନ୍ସିମାନେ କାନାଡା ଓ ମେକ୍ସିକୋରେ ରହୁଥିବା ବେଆଇନ ପ୍ରବାସୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ମାନବ ଚୋରା ଚାଲାଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ।

ଗୁଜରାଟୀମାନେ  ମେକ୍ସିକୋ ବଦଳରେ କାନାଡା ସୀମା ଦେଇ ଆମେରିକାରେ ପ୍ରବେଶ କରିବାକୁ ଅଧିକ ପସନ୍ଦ କରୁଛନ୍ତି, କାରଣ ସେମାନେ ସହଜରେ ଟ୍ୟାକ୍ସି ଭଡ଼ା କରି ଆମେରିକା ଯାଇପାରିବେ । ନିକଟରେ ଆମେରିକା କର୍ତ୍ତୃପକ୍ଷ ଏହି ସୀମାରେ କଡ଼ା ନଜର ରଖିଛନ୍ତି ।