sea fish Photograph: (KanakNews)
କନକ ବ୍ୟୁରୋ: ବଡ଼ ବଡ଼ ଟ୍ରଲର ମାଛ ମାରିବା ଓ ଅନ୍ୟାନ୍ୟ କାରଣରୁ ସମୁଦ୍ର ଭିତରେ ମାଛଙ୍କ ସଂଖ୍ୟା ଦ୍ରୁତ ଗତିରେ କମିବାରେ ଲାଗିଛି । ଏହା ମତ୍ସ୍ୟଜୀବୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ମାଛ ବଂଶବୃଦ୍ଧି କରିବା ପାଇଁ ଯୋଜନା ହୋଇଛି । ଦେବୀ ମୁହାଣରୁ କୃଷ୍ଣପ୍ରସାଦର ରାମଲେଙ୍କା ପର୍ଯ୍ୟନ୍ତ ୧୫୫ କିମି ଦୀର୍ଘ ସମୁଦ୍ରରେ ୫୩ଟି ଜାଗାରେ କୃତ୍ରିମ ଘର ପ୍ରସ୍ତୁତ କରାଯାଇଛି।
ସମୁଦ୍ରରେ ମାଛଙ୍କ ବଂଶ ବିସ୍ତାର ପାଇଁ ଆରମ୍ଭ ହୋଇଛି କୃତ୍ରିମ ଘର ସ୍ଥାପନ । ଏହି ଘର ଭିତରେ ମାଛମାନେ ଅଣ୍ଡା ଦେବେ। ସେଠାରେ ମାଛ ମାନେ ବଢ଼ିବା ପରେ ବାହାରକୁ ଆସିବେ। ଫଳରେ ବଡ଼ବଡ଼ ମାଛ ଆଉ ସେମାନଙ୍କୁ ଖାଇ ପାରିବେ ନାହିଁ। ଗୋଟିଏ ଗୋଟିଏ ବ୍ଲକ୍ ୩ଫୁଟ୍ ଲମ୍ବା ଓ ୩ ଫୁଟ୍ ଓସାରର ରହିଛି । ଗୋଟିଏ ଜାଗାରେ ୨୦୦ଟି ବ୍ଲକ୍ ପଡ଼ି ଘର ତିଆରି ହୋଇଛି । ୧୫୫ କିମି ଦୀର୍ଘ ସମୁଦ୍ରରେ ଏଭଳି ୨୦୦ଟି ଲେଖାଏଁ ବ୍ଲକ୍ ୫୩ଟି ଜାଗାରେ ପଡ଼ିଛି । ଗୋଟିଏ ଗୋଟିଏ ବ୍ଲକ୍ର ଓଜନ ୧ କ୍ବିଣ୍ଟାଲ ରହିଛି ।
ଅଧିକ ପଢନ୍ତୁ :ଅସ୍ତରଙ୍ଗରେ ନାହିଁ ମାଛ ବିତରଣ କେନ୍ଦ୍ର ; ସଢ଼ିଯାଉଛି ଟନ୍ ଟନ୍ ମାଛ, କ୍ଷତି ସହୁଛନ୍ତି ମତ୍ସ୍ୟଜୀବୀ
ସମୁଦ୍ରକୂଳରୁ ୫ କିମି ଦୂରରେ ଏ ସବୁ ପଡ଼ିଛି। ଟ୍ରଲର୍ ବଡ଼ଜାଲରେ ମାଛ ଧରିବା ବେଳେ ଏ ସବୁ ଯଦି ଜାଲ ସଂସ୍ପର୍ଶରେ ଆସନ୍ତି ତେବେ ଜାଲ କ୍ଷତିଗ୍ରସ୍ତ ହେବ। ଫଳରେ ବେଆଇନ ମାଛମରା ମଧ୍ୟ ରୋକା ଯାଇପାରିବ। ସାମୁଦ୍ରୀକ ମତ୍ସ୍ୟ ବିଭାଗ ପକ୍ଷରୁ ନାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି ଏହାକୁ ସ୍ଥାପନ ସହ ଅନୁଧ୍ୟାନ କରିବ । ୨୦୧୦ ମସିହାରେ ନିଓଟ୍ ପକ୍ଷରୁ ଏଭଳି ବ୍ୟବସ୍ଥା ହୋଇଥିଲା । ପୁରୀ ସମୁଦ୍ରରେ ଗୋଟିଏ ଜାଗାରେ କୃତ୍ରିମ ବାସସ୍ଥାନ ପ୍ରସ୍ତୁତ ହୋଇଥିଲା। କିନ୍ତୁ ନିୟମିତ ଏହାର ଅନୁଧ୍ୟାନ କରା ନଯିବାରୁ ଏହା ସଫଳ ହୋଇନଥିଲା । ବର୍ଷେ ଭିତରେ ମାଛଙ୍କର ଆଶାଜନକ ବଂଶବୃଦ୍ଧି ହେବ। ତାମିଲନାଡ଼ୁ ଏବଂ କେରଳରେ ଏଭଳି କରାଯାଇଥିବା କହିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ। ପ୍ରଥମ ଥର ପାଇଁ ଏଭଳି ପରୀକ୍ଷଣ ପୁରୀ ସମୁଦ୍ରରେ ହେବାକୁ ଯାଉଥିବା ବେଳେ ଏହା କେତେଦୂର ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର।
Follow Us