କନକ ବ୍ୟୁରୋ : ମନଲୋଭା ବନରାଜି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ହାତୀଙ୍କ ବାସସ୍ଥଳୀ । ୧୯୮୪ରେ ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୂଳଡିହାକୁ ବନ୍ୟଜନ୍ତୁ ଅଭୟାରଣ୍ୟ ଭାବେ ମାନ୍ୟତା ମିଳିଥିଲା । ବାରିପଦା-ବାଲେଶ୍ବର ବନ୍ୟଜନ୍ତୁ ଡିଭିଜନର ଶିମିଳିପାଳ-ହଦଗଡ଼-କୂଳଡ଼ିହା ରେଞ୍ଜ ଗଜରାଜଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ବୋଲି କୁହାଯାଏ । ହେଲେ କୁଳଡ଼ିହା ଇକୋ ସେନ୍ସିଟିଭ ଜୋନରେ ବେଆଇନ ଇଟାଭାଟି ଓ ପଥର ଖାଦାନ ହାତୀଙ୍କ ଗତିପଥରେ ବାଧକ ସାଜିଛି । ଗାଁ ମୁହାଁ ହେଉଛନ୍ତି ହାତୀ । ଧନଜୀବନ ନଷ୍ଟ କରିବାର ସହ ନିଜେ ମୃତ୍ୟୁ ମୁହଁରେ ପଡୁଛନ୍ତି । କୂଳଡିହା ବନ୍ୟଜନ୍ତୁ ଅଭୟାରଣ୍ୟର ହାତୀ ଗଣନା ତଥ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ସରକାରୀ ତଥ୍ୟ ମୁତାବକ ୨୦୧୭ରେ କୁଳଡିହା ଅଭୟାରଣ୍ୟରେ ୯୮ଟି ହାତୀ ଥିଲେ, ୨୦୨୪ରେ ବାଲେଶ୍ବରରେ ଅଛନ୍ତି ମୋଟ ୬୮ଟି ହାତୀ । ସେତେବେଳେ ବାରିପଦା ରେଞ୍ଜର କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବରରେ ୬୦୦ରୁ ଅଧିକ ହାତୀ ଥିଲେ । ଏବେ ସେହି ସଂଖ୍ୟା ୪୩୧ । ୨୦୧୭ରୁ ୨୨ ମଧ୍ୟରେ ରାଜ୍ୟର ୩୯ଟି ଡିଭିଜନରେ ୪୧୦ଟି ହାତୀଙ୍କ ମୃତ୍ୟୁ ଘଟିଛି । କୂଳଡ଼ିହାରେ ୨୦ରୁ ଅଧିକ ହାତୀଙ୍କ ଜୀବନ ଯାଇଛି । ଗୋଟିଏ ହାତୀକୁ ଶିକାର କରାଯାଇଥିବା ବେଳେ ଅନ୍ୟ ହାତୀଗୁଡ଼ିକ ଭିନ୍ନଭିନ୍ନ କାରଣରୁ ମୃତ୍ୟୁ ବରଣ କରିଛନ୍ତି ।
ଶିକାରୀଙ୍କ ଅବାଧ ପ୍ରବେଶ, ଜଙ୍ଗଲ ନଷ୍ଟ, ଜଙ୍ଗଲ ଜମି ହଡ଼ପ କାରଣରୁ ହାତୀ ଜନବସତି ମୁହାଁ ହେଉଛନ୍ତି । କୂଳଡିହା ରେଞ୍ଜ ଛାଡ଼ି ନିକଟସ୍ଥ ଝାଡ଼ଖଣ୍ଡ ରେଞ୍ଜକୁ ଚାଲିଯାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।