କନକ ବ୍ୟୁରୋ: ସ୍ବାୟତ୍ତଶାସନ ଦିବସ ଅବସରରେ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଲୋକଙ୍କ ଦାବି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ଆଧାର କରି ଆଜି ୧୬ଟି ଏନଏସି ଓ ୭ଟି ମୁନସିପାଲିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀର୍ଘ ଦିନର ଦାବି ପୂରଣ ହେବା ପରେ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । 
ନୂଆ ଏନଏସି ତାଲିକାରେ ରହିଛି ବଲାଙ୍ଗୀରର ଲୋଇସିଂହା, ବରଗଡର ସୋହେଲା, କଟକର ନରସିଂହପୁର, ସାଲେପୁର ଓ ବଡମ୍ବା । ଗଞ୍ଜାମର ଜଗନ୍ନାଥପ୍ରସାଦ ଓ ପାତ୍ରପୁର, ଢ଼େଙ୍କାନାଳର ଗଁଦିଆ ଓ ଯାଜପୁରର ଚଣ୍ଡିଖୋଲ, କଳାହାଣ୍ଡିରୁ ନର୍ଲା ଓ ଜୟପାଟଣା । ଖୋର୍ଦ୍ଧାର ଟାଙ୍ଗୀ, କୋରାପୁଟର ବୋରିଗୁମ୍ମା, ମୟୁରଭଞ୍ଜର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର । ସେହିପରି ବର୍ତ୍ତମାନ ବିଜ୍ଞାପିତ ପରିଷଦ ଥିବା ୭ଟି ଅଂଚଳକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାକୁ ଘୋଷଣା କରାଯାଇଛି ।   
ନୂଆ ମ୍ୟୁନିସିପାଲିଟି .. 
ମୟୂରଭଞ୍ଜର କରଞ୍ଜିଆ, ବୌଦ୍ଧ ଜିଲ୍ଲାର ବୌଦ୍ଧ ସହର, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ ନୂଆ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ଦିନର ଦାବି ପୂରଣ ହେବା ପରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଉତ୍ସବର ପରିବେଶ । ସ୍ଥାନୀୟ ଲୋକ ବାଣ ଫୁଟାଇ, ପରସ୍ପରକୁ ମିଠାଇ ଖୁଆଇ ସେଲିବ୍ରେସନ କରିଛନ୍ତି ।  

Advertisment

ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୨୧ଟି ନୂଆ ଏନଏସି ଘୋଷଣା କରିଥିଲେ । ପରବର୍ତି ସମୟରେ ୧୨ଟି ଏନଏସି ପାଇଁ ଡ୍ରାଫ୍ଟ ନୋଟିଫିକେସନ ଆସିଥିଲା । ଡ୍ରାଫ୍ଟ ନୋଟିଫିକେସନ ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏନଏସି ଦାବିରେ ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳିଥିଲା ।  ସହରାଂଚଳର ବିକାଶକୁ ଆଉ ପାଦେ ଆଗକୁ ନେବା ପାଇଁ, ଭୁବନେଶ୍ବର, କଟକ, ଖୋର୍ଦ୍ଧା ଓ ପୁରୀକୁ ନେଇ ବିରାଟ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ଏଥିସହ ଦିଲ୍ଲୀ ଭଳି ଭୁବନେଶ୍ବର ଭିତରେ କିଭିନ୍ନ ନୂଆ ସହର ସୃଷ୍ଟି କରାଯିବା ସେ ନେଇ ଯୋଜନା କରିଛନ୍ତି ।