କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବଦଳିଲା ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଖୁବଶୀଘ୍ର ଖୋଲିବ ମାତୃ ଶିଶୁ ପୋଷଣ କେନ୍ଦ୍ର । ବିଶେଷ ପଛୁଆ ଅନୁସୂଚିତ ଜନଜାତି ବା ପିଭିଟିଜି ସଂପ୍ରଦାୟଙ୍କ ପାଇଁ ରାଜ୍ୟ ସରକାର କରିଥିବା ମାତୃ ଶିଶୁ ପୋଷଣ କେନ୍ଦ୍ର ଗତ ସେପ୍ଟେମ୍ୱର ୩୦ ତାରିଖରୁ ବନ୍ଦ ହୋଇଯାଇଥିଲା। ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥିଲେ କୁନି କୁନି ପିଲାମାନେ । ମାତୃ ଶିଶୁ ପୋଷଣ କେନ୍ଦ୍ର ବନ୍ଦ କରିବାକୁ ସରକାର ଜାରି କରିଥିଲେ ଚିଠି । କିନ୍ତୁ ଖବର ପ୍ରସାରଣର ୨୪ ଘଣ୍ଟା ମଧ୍ୟରେ ବଦଳିଗଲା ସରକାରଙ୍କ ନିଷ୍ପତ୍ତି । ଏହି କେନ୍ଦ୍ର ସହ ଜଡିତ ଥିବା ସମସ୍ତ କର୍ମଚାରୀଙ୍କ ଦରମା ବି ପୂର୍ବ ଭଳି ଦିଆଯିବ ବୋଲି ଓପିଲିପ ପକ୍ଷରୁ ଜାରି ହୋଇଛି ଚିଠି ।
ଏହି କେନ୍ଦ୍ରରେ କୁନି କୁନି ପିଲାମାନେ ପାଉଥିଲେ ପୁଷ୍ଟିକର ଖାଦ୍ୟ । ସ୍ୱାସ୍ଥ୍ୟ ଅବସ୍ଥାରେ ଆସିଥିଲା ସୁଧାର । କିନ୍ତୁ ସରକାରଙ୍କ ଗୋଟିଏ ଚିଠି ପରେ ହତାଶ ହୋଇଯାଇଥିଲେ କୁନି କୁନି ପିଲାମାନେ । ସବୁଦିନ କେନ୍ଦ୍ର ଆସୁଥିଲେ, ସାଙ୍ଗସାଥୀଙ୍କ ସହ ମୌଜମସ୍ତି ବି କରୁଥିଲେ । କିନ୍ତୁ ମିଳୁନଥିଲା ଖାଦ୍ୟ । ଗତ ସେପ୍ଟେମ୍ୱର ୩୦ ତାରିଖରୁ ଏହି ଯୋଜନା ବନ୍ଦ ହେବା ପରେ ପିଲାମାନଙ୍କୁ ମିଳୁନଥିଲା ଖାଦ୍ୟ । କିନ୍ତୁ ସରକାର ନିଜ ନିଷ୍ପତ୍ତି ବଦଳାଇବା ପରେ ପିଲା ଓ ଅଭିଭାବକଙ୍କ ମୁହଁରେ ଫେରିଛି ହସ ।
ରାଜ୍ୟର ୧୩ଟି ବିଶେଷ ପଛୁଆ ଅନୁସୂଚିତ ଜନଜାତି ବା ପିଭିଟିଜି ସଂପ୍ରଦାୟ ମଧ୍ୟରେ ସ୍ୱାସ୍ଥ୍ୟ ଓ ପୋଷଣରେ ଉନ୍ନତି ଆଣିବା ପାଇଁ ପୂର୍ବ ସରକାର ଆରମ୍ଭ କରିଥିଲେ ଏହି ଯୋଜନା । ରାଜ୍ୟର ୧୨ଟି ଜିଲ୍ଲାର ୮୯ ପଞ୍ଚାୟତର ୬୧ଟି ମାତୃ ଶିଶୁ ପୋଷଣ କେନ୍ଦ୍ର ଏବଂ ଶିଶୁ ଗୃହ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିଲା । ଯୋଜନା ବନ୍ଦ ହେବା ପରେ ଏହା ପୁଣି କାର୍ଯ୍ୟକାରୀ ହେବ କି ନାହିଁ ଏନେଇ ଅନେକ ଆଶଙ୍କାରେ ଥିବାବେଳେ ସରକାରଙ୍କ ନୂଆ ଚିଠି ସୂଚାଇ ଦେଇଛି ଯେ ଖୁବଶୀଘ୍ର ଖୋଲିବ ଏହି କେନ୍ଦ୍ର। ଆଉ ପୂର୍ବ ଭଳି ମିଳିବ ପୁଷ୍ଟିକର ଖାଦ୍ୟ ।