କନକ ବ୍ୟୁରୋ : ନୂଆ ଅଧିନିୟମ ଦ୍ବାରା ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକିୟାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଳ ପିଟିସନ ଉପରେ  ମାର୍ଚ୍ଚ ୧୯ରେ ହେବ ଶୁଣାଣି ।  ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ କମିଶନର ନିଯୁକ୍ତି ପାଇଁ ଗଠିତ କମିଟରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦେବାକୁ ବିରୋଧ କରି ପିଟିସନ ଦାଖଲ କରାଯାଇଥିଲା ।୨୦୨୩ର ଧାରା-୭ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା  ଓ  ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଥିଲା । ଏହି ଅଧିନିୟମ ଆଧାରରେ ପ୍ରଧାନ ବିଚାରପତିଙ୍କୁ ଚୟନ କମିଟିରୁ ବାହାର କରାଯାଇଛି । ସେପଟେ ଶୁଣାଣି ର୍ପୂବରୁ ତରବରିଆ ଭାବେ ନୂଆ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ନୂଆ ନିୟମ ଅନୁସାରେ ଏହି ଚୟନ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ସିଇସି ମନୋନୀତ କରୁଥିଲେ । ନୂଆ ନିୟମ ଅନୁସାରେ ପ୍ରଧାନ ବିଚାରପତିଙ୍କ ବଦଳରେ ମନ୍ତିମଣ୍ଡଳର ଜଣେ ସଦସ୍ୟଙ୍କୁ ସାମିଲ କରାଯାଇଛି । କିଛି ଦିନ ତଳେ ଏ ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ ରାହୁଲ । ସେତେବେଳେ ଆଶଙ୍କା କରିଥିଲେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଦ୍ବାରା ଚୟନ ବ୍ୟକ୍ତି ହିଁ ସିଇସି ହେବେ । ଏଭଳି ସ୍ଥିତିରେ ସେ କମିଟିରେ ତାଙ୍କର ମତ ଓ ମନ୍ତବ୍ୟ କେତେ ଗୁରୁତ୍ବ ବହନ କରିବ ତାକୁ ନେଇ ସେ ସନ୍ଦେହ ପ୍ରକଟ କରିଥିଲେ ।

Advertisment

ସେପଟେ ଆଜି ଦାୟିତ୍ୱ ନେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୨୦୨୯ ଜାନୁଆରୀ ୨୬ରେ ଜ୍ଞାନେଶଙ୍କ କାର୍ୟ୍ୟକାଳ ସରିବ। ମଙ୍ଗଳବାର ସିଇସି ପଦରୁ ରାଜୀବ କୁମାର ଅବସର ନେବା ପରେ ଆଜି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କାର୍ୟ୍ୟଭାର ସମ୍ଭାଳିଛନ୍ତି। ରାଜୀବ କୁମାର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ସେ ୨୦୨୦ ସେପ୍ଟେମ୍ବର ୧ରେ ନିର୍ବାଚନ କମିଶନର ଭାବେ ଯୋଗଦେଇଥିବାବେଳେ ୨୦୨୨ ମେ’ ୧୫ରେ ୨୫ତମ ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିର୍ବାଚନ କମିଶନର ଭାବେ ସେ ଏହି ସଂସ୍ଥାର ଗଠନ, ବୈଷୟିକ, ସାମର୍ଥ୍ୟ ବିକାଶ, ଯୋଗଯୋଗ, ଅନ୍ତର୍ଜାତୀୟ ସହଯୋଗ ଏବଂ ପ୍ରଶାସନିକ ସଂସ୍କାର ଦିଗରେ କାର୍ୟ୍ୟ କରିଥିଲେ।