କନକ ବ୍ୟୁରୋ: ବିଜେଡି ସରକାର କ୍ଷମତାରୁ ଯିବା, ବିଜେପି ସରକାର ଗଢ଼ିବାକୁ ଏହା ଭିତରେ ଚାରି ମାସ ହେଲାଣି । ଏହି ଚାରି ମାସ ଭିତରେ ପୂର୍ବ ସରକାର ସମୟର ଅନେକ ଦୁର୍ନୀତି ପଦାକୁ ଆସିଛି। ଦୁର୍ନୀତିର ତଦନ୍ତ ହେବ ବୋଲି ମନ୍ତ୍ରୀମାନେ କହୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତଦନ୍ତ କେତେ ବାଟ ଗଲା ତାହା ଜଣାପଡିନାହିଁ।
ଫାଇଭ-ଟି ସ୍କୁଲ ଦୁର୍ନୀତି
ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଦୁର୍ନୀତିର ତଦନ୍ତ ହେବ।
ପାଣ୍ଡିଆନ ହେଲିକପ୍ଟରରେ ବୁଲିବା ପ୍ରସଙ୍ଗ
ପରିବହନ ମନ୍ତ୍ରୀ ବିଭୂତି ଜେନା କହିଥିଲେ ହେଲିକପ୍ଟର ବୁଲା ଖର୍ଚ୍ଚର ତଦନ୍ତ ହେବ
ଆମ ଓଡ଼ିଶା, ନବୀନ ଓଡ଼ିଶାରେ ଦୁର୍ନୀତି
ପଂଚାୟତରାଜ ମନ୍ତ୍ରୀ ରବି ନାଏକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ
ଭୂତ ରାସନ କାର୍ଡ
ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଥିଲେ ତଦନ୍ତ ହେବ
ସରକାର ବଦଳିବା ପରେ ନୂଆ ସରକାରର ଏଭଳି ଆଭିମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିର ସତ ସାମନାକୁ ଆସିବ ବୋଲି ଆଶା କରାଯାଉଥିଲା। ହେଲେ, ବିଜେପି ସରକାରକୁ ଚାରିମାସ ପୁରିଥିଲେ ବି ମନ୍ତ୍ରୀଙ୍କ କଥା ଅନୁସାରେ ତଦନ୍ତ ହୋଇ ନାହିଁ। ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେଡି। ମନ୍ତ୍ରୀଙ୍କ ବୟାନବାଜି କେବଳ ଧୂଆଁବାଣ, ସତ ସାହସ ଥିଲେ ଗିରଫ କରନ୍ତୁ ବୋଲି କହିଛନ୍ତି ବିଜେଡି ନେତା। ଜବାବରେ ବିଜେପି କହିଛି, ଅପେକ୍ଷା କରନ୍ତୁ, ଠିକ୍ ସମୟରେ ଠିକ୍ ନିଷ୍ପତି ନିଆଯିବ।
ଦୁର୍ନୀତି ଓ ତଦନ୍ତକୁ ନେଇ ରାଜନୈତିକ ନେତାଙ୍କ ବୟାନବାଜି ଭିତରେ ଭିନ୍ନ ମତ ରଖିଛନ୍ତି ରାଜନୀତି ସମୀକ୍ଷକ। କେନ୍ଦ୍ରୀୟ ବିଜେପି ସହ ବିଜେଡିର ଭଲ ସମ୍ପର୍କ ରହିଥିବାରୁ ଓଡିଶାରେ ପୂର୍ବ ସରକାର ବିରୋଧରେ ବୋଧହୁଏ ତଦନ୍ତ ଆଗେଇ ପାରୁନି।
ବିଜେପି ବିରୋଧୀ ଦଳ ଭୂମିକାରେ ଥିବାବେଳେ ଏହି ସବୁ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଥିଲା। ନିର୍ବାଚନ ସମୟରେ ମଧ୍ୟ ଏହି ସବୁ ପ୍ରସଙ୍ଗ ଉଠାଇ ଲୋକଙ୍କ ଆସ୍ଥା ଭାଜନ ହୋଇଥିଲେ। ସରକାର ଗଢ଼ିବା ପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ କେବଳ ବୟାନବାଜିରେ ସୀମିତ ରହିବ ନା କାର୍ଯ୍ୟରେ ପରିଣତ ହେବ ତାହା ଦେଖିବାକୁ ବାକି ରହିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/19/5pNOCh3rDzoKUFSLh7Hl.jpg)