କନକ ବ୍ୟୁରୋ : ଆସନ୍ତା ମାସରେ ରାଜ୍ୟ ଦେଖିବ ବିଜେପିର ନୂଆ ସଭାପତି। ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିର ନୂଆ ରାଜ୍ୟ ସଭାପତି ଘୋଷଣା ହେବେ। କନ୍ଧମାଳ ସାଂସଦ ତଥା ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ସାଂସଦ ସୁକାନ୍ତ ପାଣିଗ୍ରାହୀ। ରାଜ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ବାଲ ପୁଣିଥରେ ଓଡ଼ିଶା ଆସିବେ। ଖାଲି ରାଜ୍ୟ ସଭାପତି ନୁହେଁ, ବାକି ୧୪ ଜିଲ୍ଲାର ସଭାପତିଙ୍କ ନାଁ ମଧ୍ୟ ଘୋଷଣା ହେବ।
ସେପଟେ ଖୁବ୍ ଶୀଘ୍ର ନୂଆ ପିସିସି ସଭାପତିଙ୍କ ନାଁ ମଧ୍ୟ ଘୋଷଣା ହେବ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏହି ସୂଚନା ଦେଇଛନ୍ତି। ଅତି କମ୍ ଦିନ ଅର୍ଥାତ ଏଇ ମାସ ଶେଷ ସୁଦ୍ଧା ନୂଆ ପିସିସି ସଭାପତି ହେବେ ବୋଲି କହିଛନ୍ତି ରାମଚନ୍ଦ୍ର କାଡ଼ାମ। ଏନେଇ ସେ ଅଲ ଇଣ୍ଡିଆ ସଂଗଠକ କେ. ସି. ବେଣୁଗୋପାଳ ରାଓ ଏବଂ ଇନଚାର୍ଜଙ୍କ ସହିତ କଥା ହୋଇଥିବା କହିଛନ୍ତି। ପିସିସି ସଭାପତି କିଏ ହେବେ, ସେନେଇ ସମସ୍ତଙ୍କର ମତାମତ ନିଆଯାଉଛି। ତେବେ ହାଇକମାଣ୍ଡ ଯାହାକୁ ବାଛିବେ, ତାଙ୍କ ନେତୃତ୍ୱରେ କିଭଳି କଂଗ୍ରେସ ୨୦୨୯ରେ ଶାସନକୁ ଆସିବ, ସେଭଳି ନେତାଙ୍କୁ ଚୟନ କରାଯିବ ବୋଲି ରାମଚନ୍ଦ୍ର କାଡ଼ାମ କହିଛନ୍ତି।