କନକ ବ୍ୟୁରୋ : ଗାଁରେ ନେଟୱର୍କ ସମସ୍ୟା । ମୋବାଇଲ ଟାୱାର ବି କାମ କରୁନି । ଜରୁରୀ କାଳୀନ ସମୟରେ ଉପୁଜୁଛି ସମସ୍ୟା । କୌଣସି ଦୁର୍ଗମ ଅଞ୍ଚଳ କଥା କହୁନାହୁଁ । ଏହି ଗାଁ ଦେଇ ୫୬ନମ୍ବର ଓଡ଼ିଶା ରାଜପଥ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଛି । ଗାଁରେ ମୋବାଇଲ ଟାୱାର ଅଛି, ୱାଇଫାଇ କନେକ୍ଟ ବି ହୋଇଛି । ହେଲେ ଏସବୁ ନାମକୁ ମାତ୍ର । ମାସ ମାସ ଧରି ନେଟୱର୍କ ରହୁନଥିବା ବେଳେ ଗାଁର ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ରାଣୀତୋଟା ଗ୍ରାମରେ ଏହି ସମସ୍ୟା ଯୋଗୁ ଲୋକେ ଜରୁରୀ କାଳୀନ କାମ କିଛି କରିପାରୁନାହାନ୍ତି । ନେଟୱର୍କ ସମସ୍ୟା ଯୋଗୁ ନା ଆମ୍ବୁଲାନ୍ସକୁ ଯୋଗଯୋଗ କରିହେଉଛି ନା କୌଣସି ଅନଲାଇନ୍ କାମ ହେଉଛି । ଲୋକେ ବାଧ୍ୟହୋଇ କିଏ ଖୁଣ୍ଟି ଉପରେ ଚଢୁଛି ତ ଆଉ କିଏ ଗଛ ଉପରେ ଚଢି କାମ ଚଳେଇ ଦେଉଛନ୍ତି । ସମସ୍ୟା ନେଇ ଜଣାଇଥିଲେ ବି ଏଯାଏ ସମାଧାନ ହୋଇପାରୁନି । 

Advertisment

ଅନ୍ୟଦିନ ତ ଦୂରକଥା ବର୍ଷା ଦିନରେ ଅନେକ ସମସ୍ୟା ଦେଖାଦେଉଛି । ଏନେଇ ଗାଁର ଲୋକମାନେ ଅଭିଯୋଗ କରିଥିଲେ । ଯେଉଁସବୁ ଗାଁରେ ନେଟୱର୍କ ନାହିଁ ଏକ ତାଲିକା ପ୍ରସ୍ତୁତ ହୋଇସାରିଛି । ଅତି ଶୀଘ୍ର ରାଣୀତୋଟା ସହ ଅନ୍ୟ ଗାଁ ମାନଙ୍କରେ ନେଟୱର୍କ ସମସ୍ୟା ଦୂର ହେବବୋଲି ମିଳିଛି ପ୍ରତିଶ୍ରୁତି । ଗାଁରେ ନେଟର୍ୱକ ସମସ୍ୟା ଯୋଗୁ ଲୋକେ ବହୁ ସମସ୍ୟା ଭୋଗୁଥିବା ବେଳେ ଏଥିପ୍ରତି ଗୁରୁତ୍ବଦିଆଯାଇ ଖୁବଶୀଘ୍ର ସମାଧାନ କରାଯିବା ଜରୁରୀ ହୋଇଛି ।