Photograph: (KANAK NEWS)
କନକ ବ୍ୟୁରୋ : ମହାନଦୀକୁ ନେଇ ଜଳ ବିବାଦର ସମାଧାନ ହୋଇନାହିଁ । ମାମଲା ଏବେ ଟ୍ରିବ୍ୟୁନାଲରେ ଗଡୁଛି । ଏପରି ସମୟରେ ପୁଣି ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡ ଓ ଇନ୍ଦ୍ରାବତୀ ନଦୀରେ ପୁଣି ବଡ଼ ପ୍ରକଳ୍ପ ନାଁରେ ବଡ଼ ଷଡ଼ଯନ୍ତ୍ର କରୁଛି । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଉଦବେଗ ପ୍ରକାଶ ପାଇଛି ।
ମହାନଦୀର ଉପର ମୁଣ୍ଡ ଓ ଇନ୍ଦ୍ରାବତୀ ନଦୀର ତଳମୁଣ୍ଡରେ ମେଗା ପ୍ରକଳ୍ପ ପାଇଁ ଯୋଜନା କରୁଛି ଛତିଶଗଡ଼ । ମେଗା ପ୍ରକଳ୍ପ ହେଲା ଛତିଶଗଡ଼କୁ ଲାଭ ହେଲେ ବେଶୀ କ୍ଷତି ସହିବ ଓଡ଼ିଶା । ମହାନଦୀର ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ ଯୋଗୁଁ ଏବେ ବି ଅଣମୌସୁମୀ ସମୟରେ ଓଡ଼ିଶା ପାଣି, ଧାନ ଓ ମୀନ ସମସ୍ୟା ଭୋଗୁଛି । ତାଉପରେ ପୁଣି ମେଗା ପ୍ରକଳ୍ପ ହେଲେ ସ୍ଥିତି ଅସମ୍ଭାଳ ହୋଇଯିବ ।
ସେହିପରି ଇନ୍ଦ୍ରାବତୀ ନଦୀର ତଳମୁଣ୍ଡରେ ଛତିଶଗଡ଼ ନଦୀ ସଂଯୋଗୀକରଣ ପ୍ରକଳ୍ପ କଲେ ଟାଣି ନେବ ଉପରମୁଣ୍ଡର ସବୁ ପାଣି । ସେହିପରି ନବରଙ୍ଗପୁର ଜିଲ୍ଲାର ସୀମାନ୍ତ କୋଷାଗୁମଡ଼ା ଓ ନନ୍ଦାହାଣ୍ଡି ବ୍ଲକ୍ ବର୍ଷା ଦିନେ ବନ୍ୟା ବିପଦ ଏବଂ ଖରାଦିନେ ମରୁଡ଼ି ସହ ଯୁଝିବ । ଓଡ଼ିଶାରେ ମେଗା ଜଳସେଚନ ପ୍ରକଳ୍ପ ମଧ୍ୟ ପ୍ରଭାବିତ ହେବ । ତେଣୁ ଛତିଶଗଡ଼ ପ୍ରକଳ୍ପକୁ ସ୍ଥାନୀୟ ଅଞ୍ଚଳର ଲୋକ ତୀବ୍ର ବିରୋଧ କରୁଛନ୍ତି ।
ମହାନଦୀ ଓ ଇନ୍ଦ୍ରାବତୀ ନଦୀରେ ଛତିଶଗଡ଼ର ମେଗା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଟ୍ରିପଲ ଇଞ୍ଜନ ସରକାର ସତ୍ତ୍ୱେ ମହାନଦୀ ବିବାଦର ସମାଧାନ ହେଲାନି । ରାଜ୍ୟରେ ମୋହନ ସରକାରଙ୍କୁ ବର୍ଷେ ହେଲା, ଅଥଚ ଜଳ ବିବାଦର ସମାଧାନ ନେଇ କେନ୍ଦ୍ରରୁ ପ୍ରତିଶ୍ରୁତିଟେ ଆଣିପାରିଲେ ନାହିଁ । ଓଲଟା ଛତିଶଗଡ଼କୁ ଆଉ ମେଗା ପ୍ରକଳ୍ପ ପାଇଁ ସୁଯୋଗ ଛାଡ଼ିଦେଲେ ମୋହନ ସରକାର ବୋଲି କଟାକ୍ଷ କରିଛନ୍ତି ବିରୋଧୀ ।
ରାଜନୀତିର ପଶାପାଲିରେ ଫସି ରହିଛି ମହାନଦୀର ଭାଗ୍ୟ ଓ ଭବିଷ୍ୟତ । ମହାନଦୀ ମରିବ ନା ବଞ୍ଚିବ ତାହା ସମୟ କହିବ । ଏହାରି ଭିତରେ ଇନ୍ଦ୍ରାବତୀକୁ ନେଇ ପଡ଼ୋଶୀର ନୂଆ ଚାଲ ସମସ୍ତଙ୍କୁ ଚମକେଇ ଦେଇଛି । ଏବେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ।
Follow Us