କନକ ବ୍ୟୁରୋ : ଯେବେ ବିପଦର କଳା ବାଦଲ ନିଷ୍ପାପୀ ଶିଶୁଙ୍କ ଜୀବନକୁ କବଳିତ କରେ । ସେତେବେଳେ ଅଭାବ ଅନାଟନ ବୁଝେନି କଅଁଳ ବୟସ । କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ସେମିତି ଏକ ବାସ୍ତବ ଓ ହୃଦୟବିଦାରକ ଘଟଣା । ଯାହାକୁ ଦେଖିଲେ ଆପଣ ବି କହିବେ ହେ ଈଶ୍ୱର ଏଭଳି ଦୁଃଖ ଆଉ କାହାକୁ ଦିଅନି । 

ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ମୁକୁନ୍ଦପୁର ଗାଁରେ ରୁହନ୍ତି ୪୧ ବର୍ଷୀୟ ଆରତୀ ନାୟକ । ସ୍ୱାମୀଙ୍କ ମୃତ୍ୟୁ ପରେ ମାଆ ଓ ଦୁଇ ଝିଅ ଅଛନ୍ତି । ବଡ଼ଝିଅ ରାଜଲକ୍ଷ୍ମୀ ଗର୍ଭବତୀ ହୋଇ ବସୁନ୍ଧରାରେ ରହୁଛନ୍ତି। ଆରତୀ ଓ ଶୁଭଲକ୍ଷ୍ମୀ ଘରେ ଅଛନ୍ତି । ଆରତୀ ବ୍ରେନ ଟ୍ୟୁମରରେ ପୀଡିତ। ଆଖିକୁ ଦେଖା ଯାଉନି । ବିଞ୍ଚଣାରୁ ଉଠିପାରୁନାହାନ୍ତି । ଯେଉଁଠି ଶୋଉଛନ୍ତି, ସେଇଠି ନିତ୍ୟକର୍ମ କରୁଛନ୍ତି । ୯ ବର୍ଷର କୁନି ଝିଅ ମାଆର ସେବାଶୁଶ୍ରୁସା କରୁଛି । ଆଉ ମାଆର ଆରୋଗ୍ୟ ପାଇଁ ଠାକୁରଙ୍କୁ ଡାକୁଛି ।

ଅନାହାରରେ ରହୁଛନ୍ତି ମାଆ ଝିଅ। ଓଳିଏ ଖାଇଲେ ଓଳିକ ଉପବାସରେ ରହୁଛନ୍ତି । ମାଆ ଓ କୁନି ଝିଅର ଭବିଷ୍ୟତ ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଆରତୀଙ୍କ ଏଭଳି ଦୁର୍ଦଶା ପଛରେ ଅନେକ ଘଟଣା ଲୁଚି ରହୁଛି, ଯାହାର ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ଗ୍ରାମବାସୀ କହିଛନ୍ତି ।