କନକବ୍ୟୁରୋ : ବଲାଙ୍ଗୀର ପାଟଣାଗଡ଼ ବ୍ଳକ ମରୁଆଁ ଗାଁର ଗଙ୍ଗାଧର ସାହୁ ଓ ଉଷା ସାହୁ। ରହିବା ପାଇଁ ଭଲ ଘରଟିଏ ନାହିଁ । ଛୋଟିଆ କୁଡ଼ିଆ ଭିତରେ ରହୁଛନ୍ତି ସ୍ବାମୀ ସ୍ତ୍ରୀ ଦୁହେଁ । ରନ୍ଧାବଢ଼ା, ଖିଆପିଆ ସାଙ୍ଗକୁ ଶୁଆବସା ସବୁ ସେଇଠି । ଦିନେ ଅଧେ ନୁହେଁ ୧୫ ବର୍ଷ ଏଇଠି ଏମିତି ବିତିଲାଣି। ସରକାରୀ ଯୋଜନାରେ ବାସଟିଏ ପାଇଁ ବାରମ୍ବାର ଗୁହାରି କରିକରି ଥକିଗଲେଣି । ତଥାପି ପ୍ରଶାସନ ନଜର ପଡୁନି। ଯଦି ପ୍ରଶାସନିକ ବାବୁ ଗଙ୍ଗାଧରଙ୍କ ଦୁଃଖ ବୁଝିଥାନ୍ତେ, ହୁଏତ ଏ ଅବସ୍ଥା ଦେଖିବାକୁ ମିଳିନଥାନ୍ତା ।
ସମାନ ଦୃଶ୍ୟ ଆସିଛି ଗଞ୍ଜାମ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ କନ୍ଧ ସାହିରୁ । ସରକାରୀ ଜାଗାରେ ଭଙ୍ଗା ଘରେ ରହୁଛନ୍ତି ସନ୍ୟାସି ଡ଼ାକୁଆଙ୍କ ପରିବାର। ବୁଢା ବୟସରେ ବାପା ମୂଲ ଲାଗୁଥିବା ବେଳେ ପୁଅ ଦାଦନ ଶ୍ରମିକ । ଘର ତିଆରି ପାଇଁ ପାଖରେ ପଇସା ନାହିଁ । ଆବାସ ଯୋଜନାରେ ପକ୍କା ଘର ପାଇଁ ବାରମ୍ବାର ଆବେଦନ କରିଥିଲେ ବି ଆଜି ଯାଏଁ ଘର ମିଳିପାରିନି । ତେଣୁ ଦୁର୍ବିସହ ଅବସ୍ଥାରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ପରିବାରର ୪ ସଦସ୍ୟ। ଯେଉଁଠି ମୁଣ୍ଡ ଗୁଂଜିବାକୁ ମଣିଷ ସଂଘର୍ଷ କରେ ସେଠି ସରକାରଙ୍କ ମାଳମାଳ ଯୋଜନା କେବଳ ପ୍ରହସନ କହିଲେ ଚଳେ