କନକ ବ୍ୟୁରୋ : ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ୫୬ ଘଣ୍ଟା ପୁରିଲାଣି । ହେଲେ ଏଯାଏଁ ପୁଲିସ ହାତ ଖାଲି । ତଦନ୍ତ ଚାଲିଛି ବୋଲି ପୁଲିସ କହୁଛି, ପାତାଳରେ ଥିଲେ ବି ଅପରାଧୀ ଧରା ହେବେ ବୋଲି ମନ୍ତ୍ରୀ କହୁଛନ୍ତି । ହେଲେ ତଦନ୍ତ କେଉଁ ବାଟରେ ଯାଉଛି ? ସେପଟେ ହତ୍ୟାକାଣ୍ଡକୁ ନେଇ ଏବେ ଅନେକ ଥିଓରି ସାମ୍ନାକୁ ଆସୁଛି । ପୀତବାସଙ୍କୁ ଗୁଳିମାଡ଼ ପୂର୍ବରୁ ତାଙ୍କ ଚାମ୍ବରରୁ ଘର ପର୍ଯ୍ୟନ୍ତ ରେକି କରିଥିଲେ ଦୁର୍ବୃତ୍ତ । କେମିତି ପୀତବାସଙ୍କୁ କରିବେ ଟାର୍ଗେଟ୍ ପୂର୍ବରୁ କରିଥିଲେ ଯୋଜନା । ହତ୍ୟାକାଣ୍ଡକୁ ନେଇ ପୁଲିସର ଜୋରଦାର ତଦନ୍ତ ଚଳାଇଛି । କୁହାଯାଉଛି ଘଟଣା ଦିନ ରାତି ପ୍ରାୟ ୯ଟା ୩୦ରେ ପୀତବାସ ଚାମ୍ବରରୁ ବାହାରିଥିଲେ । ଭାଗ୍ୟଶ୍ରୀ ହୋଟେଲ ପାଖରୁ ବିରିୟାନି କିଣିସାରି ୯ଟା ୫୫ରେ ବାହାରିଥିଲେ । ସେଠାରୁ ଗଳି ମୁଣ୍ଡରେ ପହଞ୍ଚିଲା ବେଳକୁ ପୂର୍ବରୁ ଆତତାୟୀମାନେ ଛକି ରହିଥିଲେ । ଗୋଟିଏ କଳା ରଙ୍ଗର ବାଇକ୍‌ରେ ୨ଜଣ ଧଳା ସାର୍ଟପିନ୍ଧା ଯୁବକ ଅପେକ୍ଷା କରିଥିଲେ । ସେମାନେ କଳା ରଙ୍ଗର ହେଲମେଟ୍‌ ପିନ୍ଧି ଗେଟ୍‌ ବଜାର ଆଡ଼ୁ ଆସିଥିଲେ । ପୀତବାସ ବୈକୁଣ୍ଠନଗର ଗଳି ମୁଣ୍ଡରେ ପହଞ୍ଚିବା କ୍ଷଣି ଅତି ନିକଟରୁ ଛାତିକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ । ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଗୋକର୍ଣ୍ଣେଶ୍ବର ଗଳି ଦେଇ ପଳାଇ ଯାଇଥିବା ଅନୁମାନ କରାଯାଉଛି । ସେପଟେ କାହିଁକି ହତ୍ୟାକାରୀଙ୍କୁ ଧରିପାରୁନି ପୁଲିସ । ସହର ସାରା ଏତେ ସିସି କ୍ୟାମେରା ଲାଗିଛି । ଏହାର ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଅପରାଧୀ ଧରିବାରେ କାହିଁକି ବିଳମ୍ବ ହେଉଛି ?

Advertisment

ଦେଶୀ ବନ୍ଧୁକରୁ ଗୁଳିମାଡ଼ !

ହତ୍ୟାକାଣ୍ଡ ପୂର୍ବରୁ ରେକି କରିଥିଲେ ଦୁର୍ବୃତ୍ତ
ଚାମ୍ବର ପାଖରୁ ଘର ଯାଏଁ ରାସ୍ତାରେ ରେକି
ଗାଡ଼ିରେ ଲାଗିଥିଲା ଫେକ୍‌ ନମ୍ବର ପ୍ଲେଟ୍‌ 
ଦୁର୍ବୃତ୍ତ ପିନ୍ଧିଥିଲେ ଧଳାସାର୍ଟ, କଳା ହେଲମେଟ୍‌ 
ନଗର ପ୍ରଥମ ଗଳି ମୁଣ୍ଡରେ ଆଗୁଆ ଅପେକ୍ଷା କରିଥିଲେ
ପୀତବାସ ପହଞ୍ଚିବା ପରେ ଗୁଳି ଫୁଟାଇଥିଲେ
ସାଇଣ୍ଟିଫିକ୍ ଟିମ୍‌ର ମତାମତ ଅନୁସାରେ ଦେଶୀ ବନ୍ଧୁକରୁ ହୋଇଛି ଗୁଳି
୯-ଏମ୍‌ଏମ୍‌ ନୁହେଁ ବରଂ ଦେଶୀ ବନ୍ଧୁକ ବ୍ୟବହାର ହୋଇଛି
ଦେଶୀ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ଅନୁମାନ