କନକ ବ୍ୟୁରୋ : ଧିରେ ଧିରେ ଖୋଲୁଛି ଝାରସୁଗୁଡା ହତ୍ୟାକାଣ୍ଡର ପୂରା କାହାଣୀ। ତଦନ୍ତ ଯେତିକି ଆଗଉଛି, ହତ୍ୟାକାଣ୍ଡ ପଛର କାହାଣୀ ସେତିକି ସ୍ପଷ୍ଟ ହେଉଛି। ପ୍ରଥମେ ଦୁଷ୍କର୍ମ ପରେ ପ୍ରେମର ନାଟକ କରି ବାରମ୍ବାର ଶାରୀରିକ ସମ୍ପର୍କ ପରେ ଫେରାର୍ ହୋଇଗଲା ଯୁବକ। ନିଜେ ଡାକ୍ତରପାଖକୁ ଯାଇ ଗର୍ଭପାତ କରାଇଲେ ନାବାଳିକା। ହେଲେ ଘଟଣା ଜଣାପଡ଼ିବା ପରେ ଥାନାରେ ମାମଲା ହେଲା। ଯୁବକ ଗିରଫ ହେଲା । ବର୍ଷକ ପରେ ଜାମିନରେ ମୁକୁଲିବା ପରେ ପ୍ରତିଶୋଧ ନେଲା । ଏ ହେଉଛି ଝାରସଗୁଡ଼ା ହତ୍ୟାକାଣ୍ଡ ପଛର କାହାଣୀ। ଏବେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପୂର୍ବରୁ ଯୁବତୀଙ୍କ ଶେଷ ଝଲକ। କିଭଳି ଜହ୍ଲାଦ ନିଜର ଜଣେ ସହଯୋଗୀ ସହ ପୀଡ଼ିତାଙ୍କୁ ବାଇକ୍ ଯୋଗେ ନେଉଛି ତାହା ସିସିଟିଭିରେ କଏଦ ହୋଇଛି । ଡିସେମ୍ବର ୭ ତାରିଖରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଗିରଫ କରିଛି । ତେବେ ମାମଲାରୁ ସମ୍ପୁର୍ଣ୍ଣ ରୂପେ ଖଲାସ ହେବାକୁ ଯାଇ ଯୁବତୀକୁ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ବୟାନ ଦେଇଛି ଅଭିଯୁକ୍ତ। ସାରା ରାଜ୍ୟରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ରାଉରକେଲା ଯୁବତୀଙ୍କୁ ହତ୍ୟା ଘଟଣା। ଅପହରଣ କରି ପୀଡ଼ିତାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ବିଭିନ୍ନ ସ୍ଥାନରେ ପକାଇଥିଲା ଜହ୍ଲାଦ ପ୍ରେମିକ। ଗତକାଲି ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କରିଥିଲା ପୋଲିସ। ଏବେ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନେଇ ହେବ ଖୋଳତାଡ଼।
ଜଘନ୍ୟ ହତ୍ୟାକାଣ୍ଡର ପୂରା କାହାଣୀ
- ଡିସେମ୍ୱର ୭ ତାରିଖରେ ପୀଡିତାଙ୍କୁ ଅପହରଣ
- ସେତେବେଳେ ପୀଡିତା ଝାରସୁଗୁଡା ମାଉସୀଙ୍କ ଘରେ ରହୁଥିଲେ
- ହତ୍ୟା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଥିଲା କୁନୁ କିଷାନ
- ଯୋଜନା ମୁତାବକ ପାର୍ଲର ଯାଇଥିବା ପୀଡିତାଙ୍କୁ ଅପହରଣ କରିନେଲା
- କୌଶଳକ୍ରମେ ସହଯୋଗୀ ସହାୟତାରେ ବାଇକରେ ଅପହରଣ
- ପୁଲିସ ଯେମିତି ପ୍ରମାଣ ନପାଇବ ସେଥିପାଇଁ ପୂର୍ବରୁ ଯୋଜନା କରିଥିଲା
- ବାରମ୍ୱାର ବାଇକର ନମ୍ୱର ପ୍ଲେଟ ଓ ଷ୍ଟିକର ବଦଳାଇଥିଲା
- ସିସିଟିଭି କ୍ୟାମେରାରେ ଧରାନପଡ଼ିବାକୁ ହେଲମେଟ ପିନ୍ଧିଥିଲା
- ରାଉରକେଲା-ବାରକୋଟ ରାସ୍ତାରେ ପୀଡିତାଙ୍କୁ ବୀଭତ୍ସ ହତ୍ୟା
- ଲାଠିକଟା ଥାନା ଅଞ୍ଚଳରେ ନିର୍ମମ ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ୟମ
- ପ୍ରଥମେ କିରୋସିନ ଢାଳି ମୃତଦେହକୁ ପୋଡ଼ି ନଷ୍ଟ କରିବାକୁ ଉଦ୍ୟମ
- ମୃତଦେହକୁ ପୋଡ଼ି ନଷ୍ଟ ଉଦ୍ୟମ କରି ବିଫଳ ହେଲା ଅଭିଯୁକ୍ତ
- ପରେ ବର୍ବରତାର ସବୁ ସୀମା ଟପିଯାଇ ମୃତଦେହକୁ ଖଣ୍ଡ ଖଣ୍ଡ କଲା
- ମୃତଦେହକୁ ୬ ଖଣ୍ଡ କରି କାଟିଥିଲା ଅଭିଯୁକ୍ତ କୁନୁ କିଷାନ
- ରାଉରକେଲା ବ୍ରାହ୍ମଣୀ ନଦୀ ବାଲୁଘାଟରେ ଦେହର ଖଣ୍ଡିତ ଅଂଶ ଫିଙ୍ଗିଲା
- ରଘୁନାଥପଲ୍ଲୀ ଥାନାର ତରାକେରା ନାଳରେ ମୃତଦେହ ଖଣ୍ଡିତ ଅଂଶ ଫିଙ୍ଗିଲା
- ଗାଡ଼ିଆଟୋଲା ନିକଟ ପୋଖରୀରେ ପୀଡିତାଙ୍କ କଟା ମୁଣ୍ଡକୁ ଫିଙ୍ଗିଥିଲା
- ପୀଡିତା ନିଖୋଜ ଥିବାରୁ ଡିସେମ୍ୱର ୭ରେ ଥାନାରେ ଏତଲା ଦେଲେ ପରିବାର
- ସିସିଟିଭି ଫୁଟେଜ ଓ ଏଆଇ ଜରିଆରେ ତଦନ୍ତ ଆରମ୍ଭ କଲା ପୁଲିସ
- ପ୍ରମାଣ ଆଧାରରେ କୁନୁ କିଷାନ ଓ ସହଯୋଗୀଙ୍କୁ ବାନ୍ଧିଛି ପୁଲିସ
ସେପଟେ ଝାରସୁଗଡ଼ା ହତ୍ୟାକାଣ୍ଡକୁ ନେଇ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଡ଼ ଅପଡେଟ୍। ପୋକ୍ସୋ ଆଇନରେ ମାମଲା ହେବା ପରେ ଅଭିଯୁକ୍ତ କୁନୁ କିଷାନ ବିରୋଧରେ ଜାରି ହୋଇଥିଲା ଏନବିଡବ୍ଲୁ ବା ଜାମିନ ବିହୀନ ଗିରଫ ପରୱାନା । ଯାହା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଅଭିଯୁକ୍ତ। ହାଇକୋର୍ଟଙ୍କ ପକ୍ଷରୁ ଶୁଣାଣି କରାଯାଇ ଡିସେମ୍ବର ୧୫ ତାରିଖ ସୁଦ୍ଧା ପୋକ୍ସୋ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା। ହେଲେ ସରେଣ୍ଡର କରିବା ପୂର୍ବରୁ ଏହି ଜଘନ୍ୟ କାଣ୍ଡ ଘଟାଇଛି ଅଭିଯୁକ୍ତ କୁନୁ କିଷାନ। ବଡ଼ କଥା ହେଉଛି ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆଇନରେ ମାମଲା ହୋଇଥିବାବେଳେ ପୋଲିସ କାହିଁକି ତାହା ଉପରେ ନଜର ରଖି ନଥିଲା ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
ଏଆଇ କ୍ୟାମେରା ଧରାଇଦେଲା ଅଭିଯୁକ୍ତ। ଗତ ୭ ତାରିଖରେ ଯୁବତୀ ନିଖୋଜ ହେବା ନେଇ ଝାରସୁଗୁଡ଼ା ଥାନାରେ ଏତଲା ଦେଇଥିଲେ ପରିବାର ଲୋକ। ଏହି ଘଟଣାରେ ପୁଲିସ୍ ଏକ ମ୍ୟାନ୍ ମିସିଂ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିଥିଲା। ଯଦିଓ ପ୍ରାଥମିକ ସ୍ଥିତିରେ ପୁଲିସ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରିନଥିଲା, ତଥାପି ସିସିଟିଭି ଫୁଟେଜ ଅଣ୍ଡାଳିବା ବେଳକୁ ଘଟଣାର ଗୁରୁତ୍ଵ ଥିବା କଥା ବୁଝି ପାରିଥିଲା ପୁଲିସ୍। ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇ କ୍ୟାମେରାରେ କଏଦ ଫଟୋରେ ନିଖୋଜ ଯୁବତୀଙ୍କ ଫଟୋ ପକାଇବା ପରେ ଜଣେ ଯୁବକ ସହିତ ଏକ ବାଇକରେ ଚିତ୍ର ସାମ୍ନାକୁ ଆସିଥିଲା ଏହି ଘଟଣାରେ ପୋଲିସ ଛାନ୍ ଭିନ ଆରମ୍ଭ କରି ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା ପୋଲିସ। ତେବେ ପୋଲିସ କେମିତି ଅଭିଯୁକ୍ତ ଉପରେ ସନ୍ଦେହ କରି ପାରିନଥିଲା, ଏହା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।