କନକ ବ୍ୟୁରୋ:  କଳ୍ପନା କରନ୍ତୁ ଏପରି ଏକ ଗାଁ, ଯେଉଁଠାରେ ଘରଗୁଡ଼ିକରେ କବାଟ ନାହିଁ, ଦୋକାନ ବଜାର ଖୋଲା ପଡ଼ିଛି ଏବଂ ବ୍ୟାଙ୍କରେ ମଧ୍ୟ ତାଲା ପଡୁନାହିଁ। ଏହା କୌଣସି କାହାଣୀ ନୁହେଁ, ବରଂ ବାସ୍ତବତା । ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ଅବସ୍ଥିତ ଶନି ଶିଙ୍ଗଣାପୁର ଏକ ଏପରି ଗ୍ରାମ ଯେଉଁଠାରେ ଲୋକମାନେ ନିଜ ଘରେ କବାଟ ଲଗାନ୍ତି ନାହିଁ ।  ଏହାର କାରଣ ହେଉଛି ଭଗବାନ ଶନିଙ୍କ ଉପରେ ଥିବା ଅଗାଢ ବିଶ୍ବାସ ।  ଏହି ଗାଁଠି ଶିରିଡି ଠାରୁ ମାତ୍ର ୩୫ କିଲୋମିଟର ଦୂରରେ ଅବସ୍ଥିତ । 

Advertisment

ଏହି  ଅଗାଢ ବିଶ୍ବାସ ପଛରେ କଣ ରହିଛି  କାହାଣୀ
 ଗାଁର କବାଟ ଖୋଲା ରହିବା  ଏକ ପୌରାଣିକ କାହାଣୀ ସହିତ ଜଡିତ।  ପ୍ରାୟ ୩୦୦-୪୦୦ ବର୍ଷ ପୂର୍ବେ, ପ୍ରବଳ ବର୍ଷା ଓ ବନ୍ୟା ପରେ ପାନସନାଳ ନଦୀ କୂଳରେ ଏକ ବିଶାଳ କଳା ପଥର ଭାସି ଆସିଥିଲା।  ଯେତେବେଳେ ଜଣେ ମେଷପାଳକ ଏକ ବାଡ଼ିରେ ଏହି ପଥରକୁ ଠେଲା  ମାରିଥିଲେ, ସେଥିରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା ।  ସେହି ରାତିରେ, ଗାଁର ମୁଖିଆଙ୍କୁ ଭଗବାନ ଶନି ସ୍ୱପ୍ନରେ ଦେଖାଦେଇ କହିଥିଲେ ଯେ ସେହି ପଥର ତାଙ୍କର ସ୍ୱୟମ୍ଭୁ ରୂପ ଅଟେ । 
ଭଗବାନ ଶନି ନିର୍ଦ୍ଦେଶ ଦେଇଥିଲେ ଯେ ତାଙ୍କ ପ୍ରତିମାକୁ କୌଣସି ଛାତ ତଳେ ନ ରଖି ଖୋଲା ଆକାଶ ତଳେ ସ୍ଥାପନ କରାଯାଉ ।

ଯାହାଫଳରେ ସେ ସମଗ୍ର ଗ୍ରାମ ଉପରେ ନଜର ରଖିପାରିବେ। ସେ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ନିଜେ ଗାଁକୁ ସମସ୍ତ ବିପଦ, ବିଶେଷ କରି ଚୋରି ଓ ଡକାୟତିରୁ ରକ୍ଷା କରିବେ ।  ଏହି ଦିବ୍ୟ ଆଶ୍ୱାସନା ପରେ, ଗ୍ରାମବାସୀମାନେ ଭଗବାନ ଶନିଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରି ନିଜ ଘରୁ କବାଟ ଏବଂ ତାଲା ହଟାଇ ଦେଇଥିଲେ ।  

ଆଜି ମଧ୍ୟ ଶନି ଶିଙ୍ଗଣାପୁରର ଘରଗୁଡ଼ିକରେ କେବଳ କବାଟର ଫ୍ରେମ୍ ଲାଗିଛି, କିନ୍ତୁ କବାଟ ନାହିଁ । ଗ୍ରାମବାସୀମାନେ ନିଜର ମୂଲ୍ୟବାନ ସାମଗ୍ରୀ ବିନା କୌଣସି ଚିନ୍ତାରେ ଘରେ ଛାଡ଼ି ବାହାରକୁ ଯାଆନ୍ତି ।  ଏପରିକି ଦୋକାନ, ପୋଷ୍ଟ ଅଫିସ୍ ଏବଂ ପୋଲିସ୍ ଷ୍ଟେସନରେ ମଧ୍ୟ କବାଟ ନାହିଁ ।  ୨୦୧୧ ମସିହାରେ ୟୁକୋ ବ୍ୟାଙ୍କ ଏଠାରେ ଦେଶର ପ୍ରଥମ 'ଲକ୍-ଲେସ୍' ଶାଖା ଖୋଲିଥିଲା, ଯାହା ସ୍ଥାନୀୟ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇଥିଲା ।

ଲୋକଙ୍କ ମଧ୍ୟରେ ଏକ ଦୃଢ଼ ବିଶ୍ୱାସ ରହିଛି ଯେ ଯଦି କେହି ଏଠାରେ ଚୋରି କରିବାକୁ ଚେଷ୍ଟା କରେ, ତେବେ ଭଗବାନ ଶନି ତାକୁ ତତକ୍ଷଣାତ୍ ଦଣ୍ଡ ଦିଅନ୍ତି।  ଏହି ଦଣ୍ଡ ସାତ ବର୍ଷ ଭୋଗିବାକୁ ପଡିବ । ଯାହା ଅସୁସ୍ଥତା କିମ୍ବା ଅନ୍ଧତ୍ୱ ରୂପରେ ଆସିଥାଏ ବୋଲି ବିଶ୍ୱାସ କରାଯାଏ । କିଛି ଲୋକକଥା ଅନୁଯାୟୀ, ଅତୀତରେ ଯେଉଁମାନେ ଏହି ପରମ୍ପରାକୁ ଅବମାନନା କରିଛନ୍ତି, ସେମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯଦିଓ କିଛି ବର୍ଷ ହେବ ଚୋରିର କିଛି ଛୋଟମୋଟ ଘଟଣା ସାମ୍ନାକୁ ଆସିଛି, ତଥାପି ଗ୍ରାମବାସୀଙ୍କ ବିଶ୍ୱାସ ଅତୁଟ ରହିଛି ।  ଆଜିବି  ଗ୍ରାମବାସୀ  ଶନି ଭଗବାନଙ୍କ ଭରଷାରେ କବାଟ  ଖୋଲି ରହୁଛନ୍ତି ।