କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଶାସକ ଦଳର ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡର ପରଦା ଖୋଲିଛି । କୌଣସି ରାଜନୈତିକ ଶତ୍ରୁତା ନୁହେଁ ବଂର ହତ୍ୟା ପଛରେ ଅନ୍ୟ କାରଣ ଥିବା ଜଣାପଡିଛି । ବଲିଉଡ ଅଭିନେତା ସଲମାନ ଖାନ ଏବଂ ଅଣ୍ଡରୱାର୍ଲଡ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ରଖିବା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ପରିଚିତ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ଏହି ହତ୍ୟା କରିଥିବା ଦାବି କରିଛି । ଫେସବୁକରେ ପୋଷ୍ଟ କରି ଗ୍ୟାଙ୍ଗର ଜଣେ ସଦସ୍ୟ ଏସମ୍ପର୍କରେ ସୂଚନା ଦେବା ପରେ ଅଧିକ ଛାନିଭିନ କରୁଛି ମୁମ୍ବାଇ ପୁଲିସ ।
ଶନିବାର ରାତି ପ୍ରାୟ ୯ ଟା ୩୦ ସମୟରେ ବାନ୍ଦ୍ରା ଇଷ୍ଟରେ ଏକ କାର୍ଯ୍ୟାଳୟରୁ ବାହାରିଥିଲେ ବାବା ସିଦ୍ଦିକି । ଏହି ସମୟରେ ପୂର୍ବରୁ ଛକି ରହିଥିବା ତିନି ଅଭିଯୁକ୍ତ ମୁହଁରେ ରୁମାଲ ବାନ୍ଧି ଆସିବା ସହ ସିଦ୍ଦିକିଙ୍କ ଉପରକୁ ତିନି ରାଉଣ୍ଡ ଗୁଳିମାଡ଼ କରିଥିଲେ । ଗୋଟିଏ ଗୁଳି ଛାତିରେ ଏବଂ ଗୋଟିଏ ପେଟରେ ବାଜିବା ପରେ ସେଠାରେ ସେ ଟଳିପଡ଼ିଥିଲେ । ଗୁଳିମାଡ଼ କରିଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଛି । ତୃତୀୟ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି । ଅଭିଯୁକ୍ତମାନେ ହେଲେ ହରିୟାଣାର ଗୁରମାଲ ବଲଜିତ ସିଂ(୨୩), ଉତ୍ତରପ୍ରଦେଶର ଧର୍ମରାଜ କସ୍ୟପ(୧୯) ଓ ଶିବ କୁମାର । ତଦନ୍ତରେ ସହାୟତା ପାଇଁ ଦିଲ୍ଲୀ ପୁଲିସର ଏକ ସ୍ପେଶାଲ ଟିମ୍ ମୁମ୍ବାଇ ଯାଇଛି । ହତ୍ୟା ପରେ ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ଏବଂ ମହାରାଷ୍ଟ୍ରର ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।
ସିନ୍ଧୁ ମୁସେୱାଲାଙ୍କ ଭଳି ପ୍ରତିଷ୍ଠିତ କଣ୍ଠଶୀଳ୍ପୀ ଏବଂ ବାବା ସିଦ୍ଦିକିଙ୍କ ଭଳି ବରିଷ୍ଠ ନେତାଙ୍କୁ ଗୁଳି କରି ହତ୍ୟା, ସଲମାନ ଖାନଙ୍କୁ ହତ୍ୟା ଉଦ୍ୟମ ପଛରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସମ୍ପୃକ୍ତି ରହିଛି । ଲରେନ୍ସ ବିଷ୍ନୋଇ ଗୁଜରାଟରେ ଥିବା ବେଳେ ୭୦୦ ସୁଟର ତା ପାଖରେ ଥିବା ସୂଚନା ମଳିଛି । ଧମକ ଦେଇ ପୁଲିସକୁ ଚ୍ୟାଲେଞ୍ଜ କରି ହତ୍ୟା କରୁଥିବା ଏହି ଗ୍ୟାଙ୍ଗ କିପରି ଭାରତରେ ଚାଲିଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ଡିଜିପି ବିକ୍ରମ ସିଂ । ଏହା ପଛରେ କିଛି ବଡ଼ ବ୍ୟକ୍ତି ହାତ ଥିବା ସେ ସନ୍ଦେହ ପ୍ରକାଶ କରିବା ସହ ଲରେନ୍ସ ବିଷ୍ନୋଇ ଏବେ ଦାଉଦ ଭଳି ଗ୍ୟାଙ୍ଗଷ୍ଟର ଚଳାଉଥିବା ସେ ଦାବି କରିଛନ୍ତି ।