କନକ ବ୍ୟୁରୋ : ଦେବାଦେବୀଙ୍କୁ ଖୁସି କରିବା ଲାଗି ଭକ୍ତଙ୍କ ଶାରରୀକ ଦଣ୍ଡ । ମାସେ ଧରି ଚାଲୁଥିବା ମାଲାକନଗିରି ବଡ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ । ୩ ଠାକୁର କାନାମରାଜୁ, ବାଲାରାଜୁ, ପୋତରାଜୁ ମାଲକାନଗିରି ସଦର ମହକୁମା ସ୍ଥିତ ମାଉଳି ମାଆଙ୍କ ମନ୍ଦିର ପରିସରରେ ପୂଜା ପାଉଛନ୍ତି । ଗୁଣି, ଦିଶାରୀ, ପୂଜକମାନେ ମନ୍ଦିର ପ୍ରାଙ୍ଗଣରେ କାଳିସୀ ନାଚ ସହ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି । ଏମିତି କଲେ ଦେବୀଙ୍କ ପ୍ରସନ୍ନ ହୁଅନ୍ତି ବୋଲି ସେମାନଙ୍କ ବିଶ୍ୱାସ ରହିଛି ।
ଶରୀରକୁ କଷ୍ଟ ଦେଇ ସାଧନା । ଲୁହା କଣ୍ଟାରେ ବସି ଦେବାଦେବୀଙ୍କ ଉପାସନା । ବଡ଼ ଯାତ୍ରାରେ ଭକ୍ତିର ବିରଳ ଦୃଶ୍ୟ । ପୂଜକ ଓ କାଳିସୀମାନେ ଚାବୁକ ମାଡ଼ ଖାଇ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ମା'ଙ୍କୁ ପ୍ରସନ୍ନ କରିବା ଶରୀରକୁ କଷ୍ଟ ଦେଉଛନ୍ତି ଭକ୍ତ ।
ପ୍ରାୟ ମାସେ ହେବ ଜିଲ୍ଲାର ପ୍ରସିଦ୍ଧ ବଡ଼ ଯାତ୍ରା ରୀତିନୀତିରେ ଚାଲିଛି । ୩ ଠାକୁର କାନାମରାଜୁ, ବାଲାରାଜୁ, ପୋତରାଜୁ ଓ ମାଆ ମୁତ୍ୟାଲାମ୍ମା ଅର୍ଥାତ ଶ୍ରୀକୃଷ୍ଣ, ଭୀମ, ଅର୍ଜୁନ ଓ ଦେବୀ ଦୁର୍ଗା ପୂଜା ପାଉଛନ୍ତି । ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଭିତରେ ଗୁଣିଆ, ଦିଶାରୀ, ପୂଜକମାନେ ଶାରୀରକୁ ଦଣ୍ଡ ଦେଇ ଦେବାଦେବୀଙ୍କୁ ପ୍ରସନ୍ନ କରିବାରେ ଲାଗି ପଡିଛନ୍ତି ।
ଠାକୁର ଠାକୁରାଣୀଙ୍କ ଶୋଭାଯାତ୍ରା ଆସିବା ସମୟରେ ରାସ୍ତାକଡ଼ରେ ପୂଜା କରିଥାନ୍ତି ଶ୍ରଦ୍ଧାଳୁ । ଠାକୁରଙ୍କ ବିମାନରେ ପାରା ବସିଥାନ୍ତି । ଦିନ ବଢ଼ିବା ସହ ପାରା ସଂଖ୍ୟା ମଧ୍ୟ ବଢ଼େ । କାଳିସୀ ନାଚ ଓ ପାରମ୍ପରିକ ବାଦ୍ୟ ଯନ୍ତ୍ରର ଶବ୍ଦରେ ପୁରା ପରିବେଶ ପ୍ରକମ୍ପିତ ହେଉଥିଲେ ମଧ୍ୟ ପାରାଗୁଡ଼ିକ ଠାକୁରଙ୍କ ସିଂହାସନରେ ସେମିତି ବସି ରୁହନ୍ତି । ବିଶେଷ କରି ଜିଲ୍ଲାର ସମସ୍ତ ଗାଁର ଦେବାଦେବୀଙ୍କ ପାଖରୁ ଆସିଥିବା ଲାଠି ପ୍ରତିମାକୁ ପୂଜା କରାଯାଉଛି,ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି ।