କନକ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାର ଆସନ୍ତାକାଲି ଆସିବ ରାୟ। ପୀଡିତ ପରିବାର ନ୍ୟାୟ ପାଇବେ ବୋଲି ଦୃଢ ଆଶା ରଖିଛନ୍ତି l ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ପାଟଣାଗଡ଼ ଏଡିଜେ କୋର୍ଟ ରାୟ ଶୁଣାଇବେ। ଅଭିଯୁକ୍ତ ପୁଞ୍ଜିଲାଲକୁ କଣ ଦଣ୍ଡ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଜି ପୁଞ୍ଜିଲାଲର ଓକିଲ ପ୍ରମୋଦ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମାମଲାର କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି I ଆଇନ ଅନୁସାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିନଥିବା ସେ ଅଭିଯୋଗ ଆଣିଛନ୍ତି I
କ୍ରାଇମବ୍ରାଞ୍ଚର ତଦନ୍ତର ତଥ୍ୟ ଓ ପ୍ରମାଣର ତାଳମେଳ ରହୁନାହିଁ ବୋଲି ତାଙ୍କ ଓକିଲ କହିଛନ୍ତି I ଅନ୍ୟପଟେ ମୃତ ସୋମ୍ୟଶେଖରଙ୍କ ପରିବାର ମାନ୍ୟବର ଅଦାଲତ ଉପରେ ସମ୍ପୂର୍ଣ୍ଣ ଆସ୍ଥା ରଖିଛନ୍ତି l ନିହାତି ଆମ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶା ରଖି ଥିବା କହିଛନ୍ତି । ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘର ଉପହାରରେ ପାର୍ସଲ ବୋମା ଆସିଥିଲା । ଆଉ ଏହାକୁ ଖୋଲିବାରୁ ବୋମା ଫାଟି ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ତଦନ୍ତ ପରେ ମୃତ ସୌମ୍ୟଶେଖରଙ୍କ ମାଙ୍କ ସହ କଲେଜରେ ବିବାଦ ଯୋଗୁ ପୁଞ୍ଜିଲାଲ ଏଭଳି କାଣ୍ଡ କରିଥିବା ଜଣାପଡିଥିଲା । ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା l
କ’ଣ ଥିଲା ପାଟଣାଗଡ ପାର୍ସଲ ବୋମା ମାମଲା?
୨୦୧୮ ଫେବ୍ରୁଆରି ୨୩, ରିସେପ୍ସନ୍ ମଣ୍ଡପରେ ଫୁଟିଥିଲା ପାର୍ସଲ ବୋମା
ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ଜେଜେ ମା’ ଟଳି ପଡ଼ିଥିଲେ
ସୌମ୍ୟଙ୍କ ସ୍ତ୍ରୀ ରୀମାରାଣୀ ଏଥିରେ ଗୁରୁତର ହୋଇଥିଲେ
ପାଟଣାଗଡ଼ ପୁଲିସ ପରେ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିଲେ ସରକାର
୨୦୧୮ ଏପ୍ରିଲ ୨୫ରେ ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ
ବଲାଙ୍ଗୀର ଜେଲରେ ପୁଞ୍ଜିଲାଲ ମେହେର ଏବେ ବିଚାରାଧୀନ ବନ୍ଦୀ ଭାବରେ ଅଛନ୍ତି
ପୁଞ୍ଜିଲାଲ ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁଙ୍କ ସହ ଏକାଠି ଭଇଁଷାର କଲେଜରେ କାମ କରୁଥିଲେ
ସଂଯୁକ୍ତା ସାହୁ ଭଇଁଷାର କଲେଜର ଅଧ୍ୟକ୍ଷା ଥିଲେ ମଧ୍ୟ ପୁଞ୍ଜିଲାଲ ତାଙ୍କୁ ଅଧ୍ୟକ୍ଷା ଭାବେ ଗ୍ରହଣ କରି ପାରୁ ନଥିଲେ
କାରଣ ସଂଯୁକ୍ତା ସେହି କଲେଜକୁ ବଦଳି ହୋଇ ଆସିବା ପୂର୍ବରୁ ପୁଞ୍ଜିଲାଲ ଉକ୍ତ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ
ବରିଷ୍ଠତା ଭିତ୍ତିରେ ସଂଯୁକ୍ତାଙ୍କୁ ଅଧ୍ୟକ୍ଷା କରାଯାଇଥିଲା ଯାହାକୁ ହଜମ କରିପାରିନଥିଲା ପୁଞ୍ଜିଲାଲ
ଏହାକୁ ନେଇ ସଂଯୁକ୍ତାଙ୍କ ସହିତ ପୁଞ୍ଜିଲାଲାର ବିବାଦ ଲାଗି ରହିଥିଲା
ବଦ୍ଲା ନେବା ନିମନ୍ତେ ପୁଞ୍ଜିଲାଲ ରଚିଥିଲା ଭୟଙ୍କର ଷଡ୍ଯନ୍ତ୍ର
ସଂଯୁକ୍ତାଙ୍କ ପୁଅ ବାହାଘରରେ ସେ ପାର୍ସଲ ବୋମା ବିସ୍ଫୋରଣ କରିଥିଲା
ଏହାପରେ ପ୍ରମାଣ ନଷ୍ଟ କରି ପୁଲିସ ଆଖିରେ ଧୂଳି ଦେବା ନିମନ୍ତେ ସେ ବାରମ୍ବାର ଦୃଶ୍ୟମ ସିନେମା ଦେଖୁଥିଲେ
ପୁଞ୍ଜିଲାଲ ରହୁଥିବା ଘର ସାମ୍ନାର ଡଷ୍ଟବିନକୁ ବଲାଙ୍ଗୀର ପୁଲିସର ସାଇଣ୍ଟିଫିକ ଟିମ୍ ଯାଞ୍ଚ କରିଥିଲେ
ଡଷ୍ଟବିନ ଭିତରୁ କିଛି କଟା ତାର, ଇଲେଟ୍ରୋନିକ୍ସ ଯନ୍ତ୍ରାଂଶ ଏବଂ ଗୁଣ୍ଡଯୁକ୍ତ ଏକ୍ସପ୍ଳୋସିଭ ବାହାରିଥିଲା
ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା