କନକ ବ୍ୟୁରୋ :  ଆଖି ନାହିଁ କି ଦୁନିଆକୁ ଦେଖି ବି ପାରୁନି । ଏ ବୋଝ ଭିତରେ ଆଉ ଏକ ବଡ଼ ଦୁଃଖ । ଦୁଇ ଦିନ ହେଲାଣି ଜଣେ ଦୃଷ୍ଟିବାଧିତ ମା’ କୋଳକୁ ଫେରିନାହିଁ ତା’ର ଦେଢ଼ ମାସର ଶିଶୁ । ଛୁଆକୁ ନପାଇ ଆଖିରୁ ଲୁହ ଶୁଖୁନି । ରାଜଧାନୀ ଛାତି ଉପରେ ପିଲାଚୋରି ଘଟଣାରେ ଏବେବି ପୁଲିସର ହାତ ଖାଲି । କିଏ ଓ କେମିତି ମା’ କୋଳରୁ ଛୁଆକୁ ଚୋରାଇନେଲା, ତାହା ରାଜଧାନୀରେ ହଟଚମଟ ସୃଷ୍ଟି କରିଛି ।

Advertisment

ନା ପିଲାର ଚେହେରା ଦେଖିପାରୁଛି । ନା ଫଟୋକୁ ଚିହ୍ନି ପାରୁଛି । ଏ ଏମିତି ଜଣେ ମା’, ଯାହା କୋଳରୁ ଛୁଆ ଚୋରି ହୋଇଛି । କିନ୍ତୁ ସେ ଅସହାୟ, ନିର୍ବିକାର । କାରଣ ସେ ଦେଖିପାରେନି । ରାଜଧାନୀ ଛାତି ଉପରେ ଦୁଇଦିନ ଧରି ପିଲା ଚୋରିକୁ ନେଇ ଚାଲିଛି ହଟଚମଟ । ନା ପିଲାର ଟେର ମିଳୁଛି, ନା ପିଲା ଚୋରକୁ ଧରି ପାରୁଛି ପୁଲିସ । ସିସିଟିଭି ଯାଞ୍ଚ କରି ତଦନ୍ତ ଆଗକୁ ବଢ଼ିଛି । ପିଲାକୁ ଖୋଜୁଛି ହ୍ୟୁମାନ ଓ ଟେକ୍ନିକାଲ୍‌ ଇଣ୍ଟେଲିଜେନ୍ସ ଟିମ୍‌ । ରାଜ୍ୟ ବାହାରକୁ ଯାଇ ବି ତନାଘନା ଚଳାଇଛି ପୁଲିସ । ଖୁବଶୀଘ୍ର ପିଲାଟିକୁ ଖୋଜି ଆଣିବାକୁ ପୁଲିସ ଚେଷ୍ଟା ଚଳାଇଥିବାବେଳେ, କେହି ପିଲାର ସନ୍ଧାନ ପାଇଲେ ପୁଲିସକୁ ଜଣାଇବାକୁ କହିଛନ୍ତି ଭୁବନେଶ୍ବର ଡିସିପି । 

ଛୁଆ ଚୋରି ପରେ ପଶିଲା ଛନକା
ସାବଧାନ! ରାଜଧାନୀରେ ମାତିଛନ୍ତି ପିଲା ଚୋର । ରାସ୍ତା କଡ଼ରୁ ଉଠାଇ ନେଉଛନ୍ତି କଅଁଳା ଛୁଆ । ବାହାର ରାଜ୍ୟକୁ ହେଉଛି ଚାଲାଣ । ଏନେଇ ଚାଇଲ୍‌ଡ ଲାଇନ୍‌ ନିଜ ଆଡ଼ୁ ତଦନ୍ତ କରୁଛି । ସେପଟେ ପିଲାଚୋରି କଥା ପ୍ରଚାର ହେବା ପରେ ସବୁ ପରିବାରରେ ଭାଳେଣି ପଡ଼ିଛି । ନିଜ ପିଲାଙ୍କୁ ନେଇ ଅସୁରକ୍ଷିତ ଅନୁଭବ କରୁଛନ୍ତି ଅଭିଭାବକ । ପିଲା ଏକୁଟିଆ ସ୍କୁଲ୍‌ ଯାଉଥିଲେ କିମ୍ବା ଖେଳିବାକୁ ବାହାରକୁ ଯାଉଥିଲେ, ଅଭିଭାବକ ଚିନ୍ତାରେ ରହୁଥିବା କହିଛନ୍ତି । ତେଣୁ ପିଲାଚୋର ଗ୍ୟାଙ୍ଗକୁ ତୁରନ୍ତ ଖୋଜି ବାହାର କରିବାକୁ ଦାବି ଉଠିଛି । 

କିଛିଦିନ ତଳେ ବିଧାନସଭାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗଲା ୮ ମାସରେ ୧୩ ହଜାରରୁ ଅଧିକ ଜଣ ନିଖୋଜ ହୋଇଛନ୍ତି । ସେମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଶିଶୁ । ଯାହା ପୁଲିସ ଭିତ୍ତିଭୂମିକୁ ପଦାରେ ପକାଇଥିଲା । ପୂର୍ବରୁ ପିହୁ, ପରୀ ଆଦି ଶିଶୁ ନିଖୋଜ ଓ ମୃତ୍ୟୁ ମାମଲା ସରକାରଙ୍କୁ ଥରହର କରାଇଥିଲା, ଆଉ ଏବେ ରାଜଧାନୀ ରାସ୍ତାରୁ ଶିଶୁ ଚୋରି ପୁଣିଥରେ ସମସ୍ତଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଇଛି ।