କନକବ୍ୟୁରୋ : ୨୦୨୩ ବ‌ର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ ଗୌରବର ବିଷୟ  ।   ତେବେ ଏହି ସିନେମା ସହିତ ଜଡ଼ିତ ଅନେକଙ୍କ ପାଇଁ ଏହା ପ୍ରଥମ ରାଷ୍ଟ୍ରୀୟ ପୁରସ୍କାର  ।   ପ୍ରଥମତଃ ‘ପୁଷ୍କରା’ର ପ୍ରଯୋଜକ ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ ଓ ରମେଶ ବାରିକଙ୍କ ପାଇଁ  ଏହା ପ୍ରଥମ ଜାତୀୟ ପୁରସ୍କାର  ।    ଠିକ୍ ସେହିପରି ଏହାର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାଶ ବି ନିଜ ନିର୍ଦ୍ଦେଶିତ ପ୍ରଥମ ଛବିକୁ ରାଷ୍ଟ୍ରୀୟ ପୁରସ୍କ‌ାରପ୍ରାପ୍ତ ଛବିର ମର୍ଯ୍ୟାଦା ଦେବାରେ ସଫଳ ହୋଇଛନ୍ତି   ।

Advertisment

ଏଣେ ଏହାର କାହାଣୀକାର ଓ ସଂଳାପକାର ଶଙ୍କର ତ୍ରିପାଠୀ ଏହି ସିନେମା ଜରିଆରେ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଛବିର ଅଙ୍ଗ ହେବାର ଗୌରବ ଅର୍ଜନ କରିଛନ୍ତି। ଏହା ତାଙ୍କର ‘ନାଦବିନ୍ଦୁ’ ଉପନ୍ୟାସ ଉପରେ ଆଧାରିତ ।   ଠିକ୍ ସେହିପରି ଏହାର ଚିତ୍ରନାଟ୍ୟ ଲେଖକ ଦେବୀବତ୍ତ ମହାନ୍ତି, ଚିତ୍ତ ପଟ୍ଟନାୟକ ଓ ଜନ୍ମେଜୟ ସିଂହଙ୍କ ପାଇଁ ବି ପ୍ରଥମ  ।

ତେଣେ ଏହାର ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଓ ଗୀତିକାର ଦେବୀଦତ୍ତ ମହାନ୍ତିଙ୍କ ପାଇଁ ସମାନ କଥା ପ୍ରଯୁଜ୍ୟ ।  ‘ପୁଷ୍କରା’ର ନାୟକ ସବ୍ୟସାଚୀ ମିଶ୍ର, ନାୟିକା ସୁପ୍ରିୟା ମଧ୍ୟ କ୍ୟାରିଅର୍‌ରେ ପ୍ରଥମଥର ପାଇଁ ଏକ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଛବିରେ ଅଭିନୟ କରି ଗୌରବାନ୍ବିତ ମନେକରିବା ସ୍ବାଭାବିକ ।  ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥାହେଲା ଯେ ମହିଳା ସିନେମାଟୋଗ୍ରାଫର ଫଲ୍‌ଗୁ ଶତପଥୀଙ୍କର ପ୍ରଥମ ସିନେମା ବି ହେଲା ‘ପୁଷ୍କରା ’।