କନକ ବ୍ୟୁରୋ : ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମିଶନ ଶକ୍ତି ଘର ତିଆରି ହୋଇଛି । ହେଲେ ତାହା କାମରେ ଲାଗୁନି । ମାଲକାନଗିରି ପୌରାଂଚଳର ୧୯ଟି ୱାର୍ଡର ଅବସ୍ଥା ବଡ ଦୟନୀୟ ହୋଇପଡିଛି । ଚାରି ଆଡେ ଅନାବନା ଘାସ ଭର୍ତ୍ତି ହୋଇଥିବା ବେଳେ ମୁଖ୍ୟ ରାସ୍ତାରୁ ମିଶନ ଶକ୍ତି ଗୃହ ଆଉ ଦୃଶ୍ୟମାନ ବି ହେଉନି । ମୁଖ୍ୟ ଫାଟକରେ ପଡିଛି ତାଲା, ଚାରି ପଟେ ପଡିଛି ମଦ ବୋତଲ । କହିବାକୁ ଗଲେ ତାହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସେହିଭଳି ୱାର୍ଡ ନଂ ୧୬ରେ କୋଠା ଘର ଚକା ଚକ ହୋଇଥିଲେ ବି କୌଣସି ଏକ ଠିକାଦାରଙ୍କ କବ୍ଜାରେ ଥିବା ଜଣା ପଡିଛି । ଆଉ କିଛି ସ୍ଥାନରେ ଖୋଲା ମେଲା ପଡିଛି ମିଶନ ଶକ୍ତି ଗୃହ । ମାଲକାନଗିରି ପୌରାଂଚଳର ଥିବା ସମସ୍ତ ମିଶନ ଶକ୍ତି ଗୃହ ନିର୍ମାଣ କମ ଶେଷ ହୋଇ ସାରି ଥିବା ବେଳେ ଏ ଯାଏଁ କେବେ ହେଲେ ମହିଳାଙ୍କୁ ଏକାଠି ଦେଖି ନାହାନ୍ତି ସ୍ଥାନୀୟ ଲୋକେ । ମିଶନ ଶକ୍ତି ମାଧ୍ୟମରେ ନାରୀ ଶସକ୍ତିକରଣ ଯେମିତି ପ୍ରହସନ ପାଲଟିଛି ।
ପୁର୍ବ ସରକାର ଅମଳରେ ମିଶନ ଶକ୍ତି ମାଧ୍ୟମରେ ନାରୀ ଶସକ୍ତିକରଣ ଉଦ୍ଦେଶ୍ୟ ନେଇ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଥିଲା । ତେବେ ମାଲକାନଗିରି ପୌରାଂଚଳର ୧୯ ଟି ୱାର୍ଡରେ ପ୍ରାୟ ୭ ଲକ୍ଷ ଟଙ୍କା ଅଟକଳ ମୁଲ୍ୟରେ ନିର୍ମାଣ କାମ ହାତକୁ ନେଇ ଥିଲା ପୌରପରିଷଦ । ଏକ କୋଟି ୩୩ ଲକ୍ଷ ଟଙ୍କା ବିନିମୟରେ ପୌରପରିଷଦ ସମସ୍ତ ୧୯ ଟି ଗୃହ ନିର୍ମାଣ କାମ ସାରିଛି । ତେବେ ଏ ଯାଏଁ କିନ୍ତୁ ମିଶନ ଶକ୍ତି ବିଭାଗ କିମ୍ବା ସିଡିପିଓଙ୍କ ହସ୍ତାନ୍ତର କରି ନାହିଁ ପୌର ସଂସ୍ଥା । ରକ୍ଷଣାବେକ୍ଷଣ ମଧ୍ୟ କରା ଯାଉନଥିବାରୁ ଅସନ୍ତୋଷ ବଢି ଚାଲିଛି ।
ମାଲକାନଗିରିରେ ଅଚଳ ହୋଇ ପଡିଥିବା ମିଶନ ଶକ୍ତି ଘର ଗୁଡିକର ପୁନରୁଦ୍ଧାର କରାଯିବା ସହିତ ସବୁ ଗୁଡିକ କାର୍ୟ୍ୟକ୍ଷମ କରାଯିବା ଜରୁରୀ ହୋଇପଡିଛି ।