କନକ ବ୍ୟୁରୋ: ସରକାର ବଦଳୁଛି, ସରପଞ୍ଚ ବି ବଦଳୁଛନ୍ତି, ହେଲେ ବଦଳୁନି ତିନୋଟି ଗାଁର ଦୁଃଖ । ନା ଅଛି ଭଲ ରାସ୍ତା ନା ସମ୍ପୂର୍ଣ୍ଣ ହୋଇପାରୁଛି ଅଧପନ୍ତରିଆ ହୋଇ ପଡିଥିବା ବ୍ରିଜ୍ । ଫଳରେ ବର୍ଷାଦିନେ ବିଛିନ୍ନାଞ୍ଚଳ ପାଲଟିଯାଇଛି ଏହି ଗାଁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜରାବଗା ପଞ୍ଚାୟତରୁ ଆସିଛି ଏଭଳି ସମସ୍ୟା ।
ସ୍ୱାଧୀନତାର ସାତ ଦଶନ୍ଧି ବିତିଲାଣି । ହେଲେ ସମ୍ପୂର୍ଣ୍ଣ ହୋଇପାରୁନି ଅଧପନ୍ତରିଆ ହୋଇ ପଡିଥିବା ବ୍ରିଜ୍ । ୨୦୦୫ରୁ ଏହି ବ୍ରିଜ କାମ ଆରମ୍ଭ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ କାମ ଶେଷ ହୋଇପାରୁନି । ମାନ୍ଦଳିଆ ନାଳ ଉପରେ ଇଟାରେ ୫ଟି ଖୁଣ୍ଟ ତିଆରି କରି ଭୁଲିଯାଇଛନ୍ତି ସରକାରୀ ବାବୁ । ଯାହା ଫଳରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି କୁଚିଣ୍ଡା ଜରାବଗା ପଞ୍ଚାୟତର ନେଟିଡିହି, ଚକୁଳିଆପଡା, ବାଗମୁଣ୍ଡା ବାସିନ୍ଦା । ପାଖାପାଖି ୫୦୦ରୁ ଅଧିକ ପରିବାର ବସବାସ କରୁଥିଲେ ବି ସରକାରଙ୍କ ନଜର ଏଠାରେ ପଡୁନାହିଁ ।
ବର୍ଷା ୪ ମାସ ବିଚ୍ଛିନ୍ନାଞ୍ଚଳ ପାଲଟିଯାଏ ଏହି ତିନୋଟି ଗାଁ । ଦୀର୍ଘ ୨୦ ବର୍ଷ ହେଲା ଇଟା ଖମ୍ବ ତିଆରି ହୋଇଛି । ପୋଲ ପାଇଁ ବାରମ୍ବାର ଦାବି ପରେ ବି ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ । ଜରୁରୀକାଳିନ ସମୟରେ ରୋଗୀଙ୍କୁ ମେଡିକାଲ ନେବା ପାଇଁ ଖଟିଆରେ ବୋହିକି ନେବାକୁ ପଡ଼ିଥାଏ । ବର୍ଷା ଦିନେ କାଦୁଅ ପଚପଚ ରାସ୍ତାରେ ଲୋକମାନେ ଯାତୟତ କରନ୍ତି । ପୋଲ ଓ ରାସ୍ତା ସମ୍ପର୍କରେ ଜରାବଗା ପିଇଓ କୁହନ୍ତି ଆମ ପାଖକୁ ଅଭିଯୋଗ ଆସିନାହିଁ । ରାସ୍ତା ଓ ବ୍ରିଜ ତିଆରି ପାଇଁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ଉପ ଜିଲ୍ଲାପାଳ । ବ୍ରିଜ ଓ ରାସ୍ତା ପାଇଁ ଦିର୍ଘ ବର୍ଷ ଧରି ଅସୁବିଧା ଭୋଗୁଥିବା ଲୋକଙ୍କୁ ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି । ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେଲେ ଉପକୃତ ହୋଇପାରନ୍ତେ ଅଞ୍ଚଳବାସୀ ।