କନକ ବ୍ୟୁରୋ : ରଥଯାତ୍ରା ପୂର୍ବରୁ କେମିତି ରହିଛି ବଡ଼ଦାଣ୍ଡ ସ୍ଥିତି, ତାହା ବୁଲି ଦେଖିବା ସହ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ର ପାଣି ପିଇ ପରୀକ୍ଷଣ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏଥିସହ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ସହରରେ ଥିବା କ୍ରସ୍ ଡ୍ରେନ ସଫା ହୋଇଛି କି ନାହିଁ? ନାଳ- ନର୍ଦ୍ଦମାର ସ୍ଥିତି କଣ? କଳଙ୍କି ଖାଇ ଯାଇଥିବା ଲୁହା ସ୍ଲାବ ପରିବର୍ତ୍ତନ ହୋଇଛି କି ନାହିଁ? ମୁକୁଳା ଡ୍ରେନ ଉପରେ ସ୍ଲାବ୍ ପଡ଼ିଛି ନା ନାହିଁ? ଏସବୁର ସମୀକ୍ଷା କରିଥିଲେ । ସେହିପରି ଲୋକମାନେ ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନାରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପାଇବେ, ମଶା ଉପଦ୍ରବ କିଭଳି ନିୟନ୍ତ୍ରଣ କରାଯିବ ଓ ରଥଯାତ୍ରା ସମୟରେ ବର୍ଷା ହେଲେ ତୁରନ୍ତ କେମିତି ଜଳ ନିଷ୍କାସନ ହେବ ସେନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ବର୍ଷା ଦିନେ ବଡ଼ଦାଣ୍ଡ କିଭଳି ଜଳବନ୍ଦୀ ନହେବ ତା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଆଗ ଅପେକ୍ଷା ଡ୍ରେନେଜ ସମସ୍ୟାରେ ସୁଧାର ଆସିଛି ସତ, ହେଲେ ନାଳ ନର୍ଦ୍ଦମା ଦୁର୍ଗନ୍ଧ ଯୋଗୁ ଆଖପାଖ ଅଞ୍ଚଳରେ ରହି ହେଉନି । ଡ୍ରେନ ସମସ୍ୟା ଏବେବି ରହିଛି । ଏବେ ଦେଖିବାର କଥା କେବଳ ରଥଯାତ୍ରା ପାଇଁ ସରକାର ତତ୍ପର ନାଁ ଆଗକୁ ବି ଏଭଳି କାର୍ଯ୍ୟ ଜାରି ରହିବ ।