କନକ ବ୍ୟୁରୋ : ଅଣ୍ଡା ଓ ମାଛ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ ବୋଲି ପୂର୍ବରୁ ସରକାର ବାରମ୍ବାର କହି ଆସୁଥିଲେ ବି ବିଧାନସଭାରେ ସତ ମାନିଛନ୍ତି ମନ୍ତ୍ରୀ। ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍ତର ରଖିଛନ୍ତି, ବାର୍ଷିକ ମୁଣ୍ଡପିଛା ଆବଶ୍ୟକତା ୧୮୦ଟି ଅଣ୍ଡା । ରାଜ୍ୟରେ ଉପଲବ୍ଧ ଅଛି ମୁଣ୍ଡପିଛା ୮୦ ଅଣ୍ଡା । ଦୈନିକ ଆମଦାନୀ ହେଉଛି ୧୫ ଲକ୍ଷ । ବାହାରା ରାଜ୍ୟକୁ ରପ୍ତାନି ହେଉଛି ୧୦ରୁ ୧୨ ହଜାର ଅଣ୍ଡା । ତେଣୁ ବିଭିନ୍ନ ଯୋଜନା ମାଧ୍ୟମରେ ଅଣ୍ଡା ଉତ୍ପାଦନ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
ଅଣ୍ଡା ଭଳି ମାଛ ପାଇଁ ମଧ୍ୟ ପଡୋଶୀ ରାଜ୍ୟ ଉପରେ ଆମକୁ ନିର୍ଭର କରିବାକୁ । ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ମନ୍ତ୍ରୀ। ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମାଛ ଉତ୍ପାଦନ ରହିଛି ୧୧.୨୩ ଲକ୍ଷ ମେଟ୍ରିକ ଟନ। ବାହାର ରାଜ୍ୟରୁ ଆମଦାନୀ ହେଉଛି ୩୩ ହଜାର ୪୨୪ ମେଟ୍ରିକ ଟନ। ରପ୍ତାନୀ ହେଉଛି ୨.୯୮ ଲକ୍ଷ ମେଟ୍ରିକ ଟନ ମାଛ । ତେବେ ଆଗାମୀ ଦିନରେ ମଧୁର ମାଛ ଉତ୍ପାଦନ ବଢ଼ାଇବାକୁ ସରକାରୀ ଯୋଜନା କରୁଛନ୍ତି ବୋଲି କହିବା ସହ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ମନ୍ତ୍ରୀ ।
ଅଣ୍ଡା ଓ ମାଛ ପାଇଁ ଓଡ଼ିଶାକୁ ଭରସା ପଡ଼ୋଶୀ ରାଜ୍ୟ । ଯେଉଁଥିପାଇଁ ଚଢ଼ା ଦର ଉପରେ ବି ଲାଗିପାରୁନି ଲଗାମ । ତେବେ ଧାନ, ମାଣ୍ଡିଆ ଭଳି ଅଣ୍ଡା ଓ ମାଛ ଯୋଜନାକୁ ଗରୁତ୍ବ ମିଳିଲେ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର ହେବାକୁ ପଡ଼ନ୍ତା ନାହିଁ ।
Follow Us