କନକ ବ୍ୟୁରୋ:  ବିପଦରେ ମେଘନାଦ ପାଚେରି । ପାଚେରି ଯୋଡ଼େଇରେ ଫାଟ ହୋଇ ବୋହୁଛି ଆନନ୍ଦ ବଜାର ମଇଳା ପାଣି । ପାଚେରି ଉପରେ ଚରିଗଲାଣି ଶିଉଳି। ବର୍ଷେ ତଳେ ଶିଉଳି ଛଡ଼ାଇ ଫାଟ ଯୋଡ଼େଇ କରାଯାଇଥିଲା । ଗ୍ରାଉଟିଂ କରାଯିବା ପରେ ଡ୍ରେନ୍‌ ପାଣି ପାଚେରି ଦେଇ ଝରିବା ବନ୍ଦ ହୋଇଯାଇଥିଲା । ମାତ୍ର ଗ୍ରାଉଟିଂ ମେଘନାଦ ପାଚେରିୁ ବର୍ଷେ ବି ସୁରକ୍ଷା ଦେଇପାରିଲା ନାହିଁ । ପୁଣି ୩ଟି ସ୍ଥାନରେ ଡ୍ରେନ୍‌ ପାଣି ଝରି ଶିଉଳି ଚରିଗଲାଣି । ତେଣୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ନିଜେ ଅସୁରକ୍ଷିତ ହୋଇପଡ଼ିଲାଣି । ରାମଦୟା ପରିଷଦର ଠିକ୍‌ ପଛ ପାର୍ଶ୍ବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଦୀର୍ଘଦିନ ହେଲା ଆନନ୍ଦ ବଜାର ଡ୍ରେନ୍‌ ଜଳ ଏତେ ମୋଟେଇ ପାଚେରି ଦେଇ ଝରୁଥିବାରୁ ଏହା ଯୋଡ଼େଇକୁ ପ୍ରଭାବିତ କରୁଥିବା ଜଳଜଳ ବାରି ହୋଇପଡ଼ୁଛି ।

Advertisment

ଅଧିକ ପଢନ୍ତୁ :  ଶ୍ରୀମନ୍ଦିର ମେଘନାଦ ପାଚେରୀରେ ପୁଣି ବସିଲା ମଗରମୁଖ : ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ ପରେ ବସାଇଲେ ଶ୍ରୀମନ୍ଦିର ପ୍ରଶାସନ

ଯୋଡ଼େଇ ଦୁର୍ବଳ ହେଉଥିବାରୁ ଏହା ପାଚେରିକୁ ଦୁର୍ବଳ କରିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଇନମନ୍ତ୍ରୀ ଗତବର୍ଷ ଏ ସମ୍ପର୍କିତ ପ୍ରତିକ୍ରିୟା ରଖି ପାଚେରି ମରାମତି ହେବ ବୋଲି କହିଥିଲେ । ମାତ୍ର ଗ୍ରାଉଟିଂ କରାଯିବା ପରେ ପାଚେରିର ମରାମତି କଥା ଭୁଲିଗଲେ । ୨୦୨୧ ମସିହାରୁ ଏହି ସମସ୍ୟା ଉପୁଜିଛି ।

ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ଆଉ ଗୋଟେ ବାହ୍ୟ ପାଚେରି ନିର୍ମିତ ହୋଇଥିଲେ ସୁଦ୍ଧା ମେଘନାଦ ପାଚେରି ମରାମତି କରାଗଲା ନାହିଁ । ମେଘନାଦ ପାଚେରିର ଉଚ୍ଚତା ପ୍ରାୟ ୨୦ ଫୁଟ ଏବଂ ଓସାର ପ୍ରାୟ ୬ ଫୁଟ। ଏଏସ୍‌ଆଇ ପକ୍ଷରୁ ନିୟମିତ ନିରୀକ୍ଷଣ ହେଉନଥିବାରୁ ଦୀର୍ଘଦିନ ହେଲା ପାଚେରି ମଧ୍ୟ ଦେଇ ଡ୍ରେନ୍‌ ଜଳ ନିଷ୍କାସନ ହେଉଥିବାରୁ ନଜର ପଡ଼ିନାହିଁ ଅବା ଦେଖି ଅଣଦେଖା କରାଯାଇଛି । ତେଣୁ ତ୍ବରିତ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ମରାମତି କରିବାକୁ ଦାବି ହୋଇଛି ।